ଢାକା: ବାଂଲାଦେଶର ଜଣେ ଶୀର୍ଷ ହିନ୍ଦୁନେତା ତଥା ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ସେନଙ୍କର ଶନିବାର ସକାଳେ ହାଜତରେ ମୃତ୍ୟୁ ହୋଇଯାଇଛି। ବାଂଲାଦେଶର ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ଏବଂ ୫ ଥର ସାଂସଦ ହୋଇଥିବା ରମେଶ ଚନ୍ଦ୍ର ତାଙ୍କ ସାହାଯ୍ୟ ପ୍ରବୃତ୍ତି ଓ ସ୍ବଚ୍ଛ ରାଜନୈତିକ କ୍ୟାରିୟର ପାଇଁ ଜଣାଶୁଣା। ଶନିବାର ସକାଳ ୯ଟା ୧୦ ସମୟରେ ରମେଶଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଦିନାଜପୁର ଜିଲ୍ଲା କାରାଗାରରୁ ଦିନାଜପୁର ମେଡିକାଲ କଲେଜ ହସ୍ପିଟାଲର ଜରୁରୀ ବିଭାଗକୁ ନିଆଯାଇଥିଲା।

Advertisment

ତେବେ ୯ଟା ୩୦ ସମୟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ରମେଶ ଚନ୍ଦ୍ର ସେନଙ୍କୁ ୮୫ ବର୍ଷ ବୟସ ହୋଇଥିଲା ଏବଂ ସେ ବିଭିନ୍ନ ରୋଗରେ ପୀତେ ଥିଲେ। ଜଣେ ପୂର୍ବତନ ମନ୍ତ୍ରୀ ଯେଉଁ ସବୁ ସୁବିଧା ପାଇବା କଥା ତାଙ୍କୁ ସେସବୁ ମିଳିନଥିବା ଅଭିଯୋଗ ହୋଇଛି। ତେବେ ରମେଶଙ୍କ ହାଜତ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି। ତାଙ୍କୁ ହାଜତରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ, ଜେଲ୍‌ରେ ଅସୁସ୍ଥତା ଯୋଗୁ ୫ ଅୱାମୀ ଲିଗ୍‌ ନେତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ୨୦୨୪ ଅଗଷ୍ଟରେ ଶେଖ୍‌ ହସିନାଙ୍କ ସରକାରର ପତନ ପରେ ରମେଶ ଚନ୍ଦ୍ରଙ୍କ ବିରୋଧରେ ହତ୍ୟା ସମେତ ୩ଟି ମାମଲା ରୁଜୁ ହୋଇଥିଲା। ତାଙ୍କୁ ପୁଲିସ ହାଜତକୁ ନିଆଯିବା ସମୟରେ ତାଙ୍କ ହାତକୁ ଗୋରୁବନ୍ଧା ଯାଉଥିବା ଦଉଡ଼ିରେ ବାନ୍ଧି ନିଆଯାଇଥିଲା। ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା।