ଶେଷରେ ବାଚସ୍ପତି ପଦରୁ ଇସ୍ତଫା ଦେଲେ ରମେଶ କୁମାର

ବାଙ୍ଗାଲୋର: କର୍ଣ୍ଣାଟକ ରାଜନୀତିରେ ଆଜି ଦୁଇଟି ଘଟଣା ଦେଖିବାକୁ ମିଳିଛି | ଗୋଟିଏ ପଟେ ବିଏସ ୟେଦୁରପ୍ପାଙ୍କ ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଥିବାବେଳେ ଅନ୍ୟପଟରେ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି କେ ରମେଶ କୁମାର | ଆସ୍ଥା ଭୋଟରେ ୟେଦୁରପ୍ପା ବିଜୟୀ ହେବା ପରେ ରମେଶ କୁମାର ନିଜ ପଦରୁ ଇସ୍ତଫା ଦେଇଛନ୍ତି | କର୍ଣ୍ଣାଟକ ରାଜନୀତିରେ ହୋଇଥିବା ହଟଚମଟରେ ବାଚସ୍ପତିଙ୍କ ଭୂମିକାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା | କୁହାଯାଉଥିଲା ଯଦି ୟେଦୁରପ୍ପା ଆସ୍ଥା ଭୋଟରେ ବିଜୟୀ ହୋଇଯାନ୍ତି ତେବେ ବାଚସ୍ପତି ପରିବର୍ତ୍ତନ ପାଇଁ ୟେଦୁରପ୍ପା ଉଦ୍ୟମ କରିବେ |

କିନ୍ତୁ ୟେଦୁଙ୍କ ଉଦ୍ୟମ ପୂର୍ବରୁ ନିଜେ ଇସ୍ତଫା ଦେଇଛନ୍ତି ରମେଶ କୁମାର | କଂଗ୍ରେସର ଜଣେ ଟାଣୁଆ ବିଧାୟକ ଭାବେ ରମେଶ କୁମାର ବେଶ ଜଣାଶୁଣା | କର୍ଣ୍ଣାଟକର ଶ୍ରୀନିବାସପୁରରୁ ୬ ଥର ବିଧାୟକ ଥିବା ରମେଶ କୁମାର ସିଦ୍ଧରମେୟାଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବାବେଳେ କୁମାରସ୍ୱାମୀଙ୍କ ଓ କଂଗ୍ରେସ ମେଣ୍ଟ ସରକାରରେ କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ |

ଏଠାରେ ସୂଚନା ଥାଉ କି ଆଜି ବିଧାନସଭାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଛନ୍ତି। ସେ ବାଚନିକ ଭୋଟରେ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର