ଆମ୍ବେଦକରଙ୍କ ନାଁ’ ମଝିରେ ଯୋଡ଼ା ହେବ ‘ରାମଜୀ’

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସରକାରୀ ଭାବେ ଡକ୍ଟର୍‌ ବିଆର୍‌ ଆମ୍ବେଦକରଙ୍କ ନାଁ ମଝିରେ ‘ରାମଜୀ’ ଯୋଡ଼ା ଯିବ।

ବୁଧବାର ଦିନ ରାଜ୍ୟ ସରକାର ସମସ୍ତ ବିଭାଗ ଓ ଲକ୍ଷ୍ନୌ ଏବଂ ଆହ୍ଲାବାଦ ହାଇକୋର୍ଟ ଖଣ୍ଡପୀଠମାନଙ୍କୁ ଏକ ଆଦେଶ ଦେଇ କହିଛନ୍ତି ଯେ ଡକ୍ଟର ଭୀମରାଓ ଆମ୍ବେଦକର ଲେଖା ଯାଇଥିବା ଦଲିଲ ଓ ରେକର୍ଡ ସବୁକୁ ବଦଳାଇ ଡକ୍ଟର୍‌ ଭୀମରାଓ ରାମଜୀ ଆମ୍ବେଦକର କରନ୍ତୁ। ସମ୍ବିଧାନ ପୃଷ୍ଠାରେ ଥିବା ସ୍ୱାକ୍ଷରରେ ସେ ଏ ପରି ନାଁ ଲେଖିଛନ୍ତି।

ଇଂରାଜିରେ ଆମ୍ବେଦକର (Ambedkar) ବନାନ ଅପରିବର୍ତ୍ତିତ ରହିବ। କିନ୍ତୁ, ଆମ୍ବେଦକର ବୋଲି ଉଚ୍ଚାରଣ କରିବା ନିମନ୍ତେ ହିନ୍ଦୀ ବନାନ ପରିବର୍ତ୍ତନ କରାଯିବ।

ଡକ୍ଟର ଭୀମରାଓ ଆମ୍ବେଦକର ମହାସଭାରର ନିର୍ଦେଶକ ଡକ୍ଟର୍‌ ଲାଲ୍‌ଜି ପ୍ରସାଦ ନିର୍ମଳ କହିଛନ୍ତି ଯେ ୨୦୧୭ ମସିହା ଡିସେମ୍ବର ମାସରେ ରାଜ୍ୟପାଳ ରାମ ନାଇକଙ୍କ ଦ୍ୱାରା ଏହି ଅଭିଯାନ ଆରମ୍ଭ ହୋଇଥିଲା। ‘ଆମ୍ବେଦକର’ ଶବ୍ଦର ବନାଗତ ତ୍ରୁଟି ଉପରେ ଚିନ୍ତା ପ୍ରକଟ କରି ସେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମହାସଭାକୁ ପତ୍ର ଲେଖି ଥିଲେ।

ସେ କହନ୍ତି: ମୁଖ୍ୟ ଉଦ୍ଦେଶ୍ୟ ହେଲା ନାଁ’ର ସଠିକ ଉଚ୍ଚାରଣ। ଇଂରାଜୀ ବନାନ ଠିକ୍‌ ଥିବା ବେଳେ ଉଚ୍ଚାରଣ ଅନୁସାର ହିନ୍ଦୀର ବନାନ ପରିବର୍ତ୍ତନ କରାଯିବ। ‘ରାମଜୀ’ ଥିଲା ତାଙ୍କ ବାପାଙ୍କର ନାଁ। ମହାରାଷ୍ଟ୍ରରେ ସାଧାରଣ ପ୍ରଥାନୁସାରେ, ପୁଅର ମଧ୍ୟମ ନାମ ଭାବେ ବାପାଙ୍କର ନାଁ ବ୍ୟବହାର କରାଯାଏ।

ସାଧାରଣ ପ୍ରଶାସନ ବିଭାଗର ପ୍ରଧାନ ସଚିବ ଜିତେନ୍ଦ୍ର କୁମାର ନିର୍ଦେଶନାମା ଜାରି କରିଛନ୍ତି। ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଲେଖାଥିବା ଡକ୍ଟର୍‌ ଭୀମରାଓ ଆମ୍ବେଦକରଙ୍କ ନାମ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର ଭାବେ ଗ୍ରହଣ କରି ଏବେ ଠାରୁ ସମସ୍ତ ସରକାରୀ ରେକର୍ଡ, ଦଲିଲ ଆଦିରେ ତାଙ୍କର ଠିକ୍‌ ନାମଟି ରହିବ ବୋଲି ନିର୍ଦେଶ ନାମାରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର