ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ଏନଆରଆଇମାନେ ଆର୍ଥିକ ସହାୟତା କରିବାକୁ ଆଗ୍ରହୀ

ଅଯୋଧ୍ୟା: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥିଲାଗି ଅର୍ଥର ଅଭାବ ରହିବ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ରାମ ମନ୍ଦିର ଟ୍ରଷ୍ଟର ଆଗାମୀ ବୈଠକ ମାର୍ଚ୍ଚ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ । ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ୩ ଅଥବା ୪ରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମନ୍ଦିର ନିର୍ମାଣ ନେଇ ତାରିଖ ନିଷ୍ପତ୍ତି ନିଆଯିବ । କୁହାଯାଉଛି କି ରାମନବମୀରେ ଅଯୋଧ୍ୟାରେ ୧୫ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥାଏ । ଏହି କାରଣରୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ତାରିଖ ଉପରେ ସହମତି ହୋଇପାରୁ ନାହିଁ ବୋଲି କୁହାଯାଉଛି ।
ରାମଲଲା ବିରାଜମାନ ପକ୍ଷକାର ତ୍ରିଲୋକୀ ନାଥ ପାଣ୍ଡେଙ୍କ କହିବା ଅନୁଯାୟୀ ବହୁ ସଂଖ୍ୟାରେ ଲୋକେ ଫୋନ୍ ଓ ମେଲ୍ ଯୋଗେ ଆର୍ଥିକ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ଏଥିରେ ଏନଆରଆଇମାନଙ୍କର ସଂଖ୍ୟା ସବୁଠାରୁ ଅଧିକ ବୋଲି ଜଣାଯାଇଛି। ବିଶ୍ୱ ହିନ୍ଦୁ ପରିଷଦର ବିଦେଶ ଶାଖା ଦ୍ୱାରା ୨ ଥର ଏନଆରଆଇ ଦଳ ରାମଲଲାଙ୍କ ଦର୍ଶନ କରିଛନ୍ତି । ସେମାନେ ମନ୍ଦିର ନିର୍ମାଣରେ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ବିହାରର ପାଟଣାସ୍ଥିତ ମହାବୀର ମନ୍ଦିର ଟ୍ରଷ୍ଟ ୧୦ କୋଟି ଟଙ୍କା ମନ୍ଦିରକୁ ଦାନ ଦେବାକୁ ଘୋଷଣା କରିସାରିଛି ।
ଅପରପକ୍ଷରେ ରାମ ମନ୍ଦିରର ପୂଜକ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ରାମଲଲାଙ୍କୁ ମାନସ ଭବନର ଦକ୍ଷିଣରେ ଖାଲିପଡ଼ିଥିବା ସ୍ଥାନରେ ପ୍ରତିଷ୍ଠା କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁରକ୍ଷା ଅଧିକାରୀଙ୍କ ସହିତ ଟେକନିକାଲ୍ ଟିମ୍ ଅସ୍ଥାୟୀ ମନ୍ଦିର ମାପଚୁପ କରିବାକୁ ଆସିଥିଲେ । ଫାଇବରରୁ ପ୍ରସ୍ତୁତ ବୁଲେଟପ୍ରୁଫ୍ ମନ୍ଦିରରେ ରାମଲଲାଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର