ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପୂଜାର୍ଚ୍ଚନା ରୀତିନୀତିରେ ମହିଳାମାନେ ଆଜି କଳସ ଯାତ୍ରା କରିଛନ୍ତି। ରାମ ମନ୍ଦିର ପରିସରରେ ରାମଲାଲାଙ୍କ ମୂର୍ତ୍ତି ପ୍ରବେଶ ପ୍ରକ୍ରିୟା ମଧ୍ୟ ସଂପନ୍ନ ହୋଇଛି। ତେବେ ପ୍ରକୃତ ମୂର୍ତ୍ତିର ଓଜନ ଯଥେଷ୍ଟ ଅଧିକ ଥିବାରୁ ଏହାର ଏକ ୧୦ କିଲୋ ଓଜନର ପ୍ରତିକୃତି ପରିକ୍ରମା କରାଯାଇଥିଲା ଏବଂ ପରେ ବିଳମ୍ବିତ ସନ୍ଧ୍ୟାରେ ଏକ ଟ୍ରକ୍‌ରେ ରାମଲାଲାଙ୍କ ପ୍ରକୃତ ମୂର୍ତ୍ତିର ମନ୍ଦିର ପ୍ରବେଶ ହୋଇଥିଲା। ଏହି ମୂର୍ତ୍ତିର ଓଜନ ୧୫୦ରୁ ୨୦୦ କେଜି ଥିବାରୁ ଏଭଳି ପ୍ରକ୍ରିୟାରେ ପ୍ରବେଶ ସମାରୋହ ସମାପନ କରାଯାଇଥିଲା। ଆସନ୍ତାକାଲି ଗର୍ଭଗୃହରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ହେବ। ଆଜି ଯଜ୍ଞ ମଣ୍ଡପର ୧୬ଟି ସ୍ତମ୍ଭ ଓ ୪ଟି ଦ୍ୱାରକୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିଲା। ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ରାମ ମନ୍ଦିର ସମ୍ପୂର୍ଣ୍ଣ ହୋଇଥିବା ଘୋଷଣା କରିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଅସମ୍ପୂର୍ଣ୍ଣ ଥାଇ ପ୍ରାଣ ପ୍ରତିଷ୍ଠା ସମାରୋହ କରାଯାଉଛି ବୋଲି ଅଭିଯୋଗ ହେଉଥିବା ବେଳେ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି ଯେ ରାମଲାଲାଙ୍କ ମନ୍ଦିର ସମ୍ପୂର୍ଣ୍ଣ ହୋଇଛି। ମନ୍ଦିରର ଗର୍ଭଗୃହ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଏବଂ ଏହାର ନିର୍ମାଣ ସଂପୂର୍ଣ୍ଣ ହୋଇଛି। ଗର୍ଭଗୃହ ସହିତ ମଣ୍ଡପ ଏବଂ ତଳ ମହଲାର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଅନ୍ୟ ନିର୍ମାଣ ଆଗକୁ ଯଥାରୀତି ଜାରି ରହିବ ବୋଲି ସେ କହିଛନ୍ତି।

Advertisment

ରାମମନ୍ଦିର ନିର୍ମାଣ ସଂପୂର୍ଣ୍ଣ: ନିର୍ମାଣ କମିଟି ଅଧ୍ୟକ୍ଷ

ଉତ୍ସବ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ

ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ମହୋତ୍ସବ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଉତ୍ତରପ୍ରଦେଶର ଗାଜିଆବାଦରେ ରହୁଥିବା ଭୋଲା ଦାସ ନାମକ ଜଣେ ବ୍ୟକ୍ତି ଏହି ପିଟିସନ ଦାଖଲ କରିଛନ୍ତି। ଆବେଦନରେ କୁହାଯାଇଛି ଯେ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ପୌଷ ମାସରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ ନୁହେଁ। ଏହାବ୍ୟତୀତ ଆବେଦନକାରୀ ଦର୍ଶାଇଛନ୍ତି ଯେ ମନ୍ଦିରଟି ଏବେ ବି ନିର୍ମାଣାଧୀନ ଅଛି ଏବଂ ଏହା ସନାତନ ପରମ୍ପରା ବିରୋଧୀ ହୋଇଥିବାରୁ ଦେବତାଙ୍କ ପ୍ରାଣପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ଏଥିସହିତ ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ରାଜନୈତିକ ଫାଇଦା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଅଭିଯୋଗ ହୋଇଛି।

ମୁଖ୍ୟ ଯଜମାନ ହେବେ ପ୍ରଧାନମନ୍ତ୍ରୀ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରି ୨୨ରେ ପବିତ୍ର ପ୍ରାଣ ପ୍ରତିଷ୍ଠା ରୀତିନୀତିର ମୁଖ୍ୟ ଯଜମାନ ହେବେ। ନିଜ ଜନ୍ମସ୍ଥାନରେ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ବୈଦିକ ପଣ୍ଡିତ ଓ ପୁରୋହିତଙ୍କ ଦଳର ନେତୃତ୍ୱ ନେବା ନିମନ୍ତେ ଅଯୋଧ୍ୟା ଯିବା ପୂର୍ବରୁ କାଶୀର ବରିଷ୍ଠ ବୈଦିକ କର୍ମକାଣ୍ଡୀ ପଣ୍ଡିତ ଲକ୍ଷ୍ମୀକାନ୍ତ ମଥୁରାନାଥ ଦୀକ୍ଷିତ ଏହି ସୂଚନା ଦେଇଛନ୍ତି। ଦୀକ୍ଷିତ ହେଉଛନ୍ତି ‘ପ୍ରାଣ ପ୍ରତିଷ୍ଠା’ର ମୁଖ୍ୟ ଆଚାର୍ଯ୍ୟ, ଯେଉଁ କାର୍ଯ୍ୟକ୍ରମର ତଦାରଖ ଓ ସଂଯୋଜନା କରିବେ କାଶୀ ପଣ୍ଡିତ ତଥା ପୂଜକ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ଼ ଏବଂ ୧୨୧ ଜଣିଆ ଆଚାର୍ଯ୍ୟଙ୍କ ଦଳ। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ସମସ୍ତ ରୀତିନୀତି ସମ୍ପନ୍ନ କରିବା ପାଇଁ ପ୍ରଧାନମନ୍ତ୍ରୀ ଅଧିକ ସମୟ ରହିପାରିବେ ନାହିଁ, ତେଣୁ ଅନ୍ୟ ଲୋକମାନେ ତାଙ୍କୁ ଯଜମାନ ଭାବରେ ସାହାଯ୍ୟ କରିବେ। ମଙ୍ଗଳବାର ଦୀକ୍ଷିତ ତାଙ୍କ ବାସଭବନରୁ ବାହାରିବା ପରେ ଅଯୋଧ୍ୟା ଅଭିମୁଖେ ତାଙ୍କ କାର୍‌ରେ ଯିବା ପାଇଁ ଗୋଲଘରରେ ପହଞ୍ଚିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କ ଉପରକୁ ଫୁଲ ବର୍ଷା କରିଥିଲେ।