ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ପ୍ରଥମ ବିଦେଶ ଗସ୍ତରେ ଇଥିଓପିଆ ଓ ଜିବୁତି ଯିବେ। ରାମନାଥ ଅକ୍ଟୋବର ୪ରେ ଇଥିଓପିଆ ଯିବେ ଓ ସେଠାକାର ଗସ୍ତ ଶେଷ କରିବା ପରେ ଜିବୁତି ପାଇଁ ବାହାରିବେ। କୁହାଯାଉଛି ଯେ, ଚୀନକୁ କଡ଼ା ଜବାବ ଦେବାକୁ ଯାଇ ଭାରତୀୟ ରାଷ୍ଟ୍ରପତି ନିଜର ପ୍ରଥମ ବିଦେଶ ଗସ୍ତ ଆଫ୍ରିକାରୁ ଆରମ୍ଭ କରୁଛନ୍ତି।
ମୁଖ୍ୟ କଥା ହେଲା ଯେ, ଚୀନ ଆଫ୍ରିକା ମହାଦ୍ୱୀପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ମନ ବଳାଇଛି। ଜିବୁତିରେ ନିଜର ସୈନ୍ୟବାହିନୀକୁ ବିସ୍ତାର କରି ଆଫ୍ରିକା ପର୍ଯ୍ୟନ୍ତ ରେଳବାଇ ନେଟଓ୍ଵର୍କ ଆଗକୁ ନେବାକୁ ଚାହୁଁଛି। ଚୀନର ଯୋଜନାକୁ ଦେଖି ଭାରତ ମଧ୍ୟ ଆଫ୍ରିକାରେ ନିଜର ଉପସ୍ଥିତି ରଖିବାକୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ଆଫ୍ରିକା ମଧ୍ୟରେ ସମ୍ପର୍କକୁ ଶକ୍ତିଶାଳୀ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ଆଧାରରେ ଭାରତ ୨୦୧୫ରେ ଆଫ୍ରିକା ଫୋରମ ସମ୍ମିଳନୀର ଆୟୋଜନ କରିଥିଲା। ଏଥିରେ ଆଫ୍ରିକା ମହାଦେଶର ୫୪ଟି ଦେଶ ଭାଗ ନେଇଥିଲେ। ଏଥିରେ ୪୦ଟି ରାଷ୍ଟ୍ର ମୁଖ୍ୟ ଥିଲେ।