ରାଷ୍ଟ୍ର ନିର୍ମାଣରେ ସହଯୋଗ ପାଇଁ ଆହ୍ବାନ

୩୭୦ ଧାରା ଉଚ୍ଛେଦ ଫାଇଦା ଦେବ

ନୂଆଦିଲ୍ଲୀ : ୭୩ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଜ ବକ୍ତବ୍ୟ ରଖିଛନ୍ତି। ରାଷ୍ଟ୍ର ନିର୍ମାଣ ଏବଂ ଦେଶକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ପ୍ରୟାସ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଧାରା ୩୭୦ ହଟାଯାଇଥିବାରୁ ଜମ୍ମୁ କଶ୍ମୀର ଏବଂ ଲଦାଖର ଜନସାଧାରଣଙ୍କୁ ଏଥିରୁ ବିଶେଷ ଫାଇଦା ମିଳିବ ବୋଲି ଦର୍ଶାଇ ରାଷ୍ଟ୍ରପତି କହିଛନ୍ତି, ଯେଉଁ ମହାନ ପିଢ଼ି ଆମକୁ ସ୍ବାଧୀନତା ଦେଇଥିଲେ ସେମାନଙ୍କ ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଏବଂ ସମାଜ ବ୍ୟବସ୍ଥାକୁ ଉନ୍ନତ କରିବା। ଏହି ପରିପ୍ରେକ୍ଷୀରେ ଜମ୍ମୁ କଶ୍ମୀର ଏବଂ ଲଦାଖରେ ଯେଉଁ ପରିବର୍ତ୍ତନ ‌ଆସିଛି ସେଥିରୁ ସ୍ଥାନୀୟ ବାସିନ୍ଦା ଲାଭାନ୍ବିତ ହେବେ ବୋଲି ରାଷ୍ଟ୍ରପତି କହିଛନ୍ତି।

ଦେଶରେ ଏବେ ତିନି ତଲାକ ଭଳି ଅଭିଶାପର ପରିସମାପ୍ତି ଘଟିଥିବାରୁ ଏହା ଦ୍ବାରା ମହିଳାଙ୍କୁ ନ୍ୟାୟ ଏବଂ ଭୟମୁକ୍ତ ଜୀବନର ସୁଯୋଗ ମିଳିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ୧୩୦ କୋଟି ଭାରତବାସୀ ନିଜ କୌଶଳ, ପ୍ରତିଭା ଏବଂ ଅଭିନବୀକରଣ ଦ୍ବାରା ବିକାଶର ରାସ୍ତାରେ ଅଗ୍ରସର ହୋଇପାରିବେ। ସରକାର ଏଥିରେ ଜନସାଧାରଣଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଗରିବ ଲୋକଙ୍କ ପାଇଁ ଗୃହ ନିର୍ମାଣ କରାଯାଉଛି ଏବଂ ବିଦ୍ୟୁତ, ଶୌଚାଳୟ ଏବଂ ପାଣି ସୁବିଧା ଉପଲବ୍ଧ କରାଯାଉଛି। ପ୍ରତ୍ୟେକ ଦେଶବାସୀଙ୍କୁ ସ୍ବଚ୍ଛ ପାନୀୟଜଳ ପହଞ୍ଚାଇବା ଏବଂ ପ୍ରତ୍ୟେକ କୃଷକଙ୍କ ଜମିକୁ ଜଳ ପହଞ୍ଚାଇବା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି ବୋଲି ରାଷ୍ଟ୍ରପତି ତାଙ୍କ ଉଦ୍‌ବୋଧନରେ କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ଚଳିତ ବର୍ଷ ୨ ଅକ୍ଟୋବରରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ହେବ। ଗାନ୍ଧୀଜୀଙ୍କ ମାର୍ଗଦର୍ଶନ ଆଜି ମଧ୍ୟ ପ୍ରାସଙ୍ଗିକ। ଏବେ ସରକାରଙ୍କ ଅନେକ ପ୍ରୟାସ ଗାନ୍ଧୀଜୀଙ୍କ ବିଚାର ଓ ଆଦର୍ଶକୁ ଯଥାର୍ଥ ରୂପ ଦେଉଛି। ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗାନ୍ଧୀଜୀଙ୍କ ଚିନ୍ତନର ଅନୁରୂପ ହେଉଛି। ଏହା ବ୍ୟତୀତ ରାଷ୍ଟ୍ରପତି ଗୁରୁ ନାନକଜୀଙ୍କ ୫୫୦ତମ ଜୟନ୍ତୀ ବର୍ଷରେ ତାଙ୍କର ଅନୁଗାମୀଙ୍କୁ ଶୁଭକାମନା ଜଣାଇଛନ୍ତି। ସ୍ବାଧୀନତା ଦିବସ ଭାରତ ମାତାର ସମସ୍ତ ସନ୍ତାନଙ୍କ ପାଇଁ ଅତ୍ୟନ୍ତ ଖୁସିର ଦିନ ବୋଲି ରାଷ୍ଟ୍ରପତି କହିଛନ୍ତି।

ସମ୍ବନ୍ଧିତ ଖବର