ନୂଆଦିଲ୍ଲୀ: ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ରାଷ୍ଟ୍ରପତି ଭବନରେ ହୋଇଥିବା ସ୍ୱତନ୍ତ୍ର ମତଦାନ କେନ୍ଦ୍ରରେ ନିଜ ପତ୍ନୀଙ୍କ ସହ ଆସି ଭୋଟ ଦେଇଛନ୍ତି ରାଷ୍ଟ୍ରପତି ।ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ମତଦାନ କରିଛନ୍ତି ରାମନାଥ କୋବିନ୍ଦ । ଏହାପୁର୍ବରୁ ରାଷ୍ଟ୍ରପତି ଥିବା ପ୍ରଣବ ମୁର୍ଖାଜୀ ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରିନଥିଲେ ।

Advertisment

୧୯୯୮ରେ ପ୍ରଥମ ଥର ପାଇଁ ପୂର୍ବତନ ରାଷ୍ଟ୍ରପତି କେ ଆର ନାରାୟଣନ ପଦରେ ରହିବା ସହ ଭୋଟ ଦେଇଥିଲେ । ସାଧାରଣ ଲୋକଙ୍କ ଭଳି ଧାଡିରେ ଛିଡା ହୋଇ ଭୋଟ ଦେଇଥିଲେ କେ ଆର ନାରାୟଣ । ତାଙ୍କ ପରେ ରାଷ୍ଟ୍ରପତି ହୋଇଥିବା ଏପିଜେ ଅବଦୁଲ କଲାମ ଓ ପ୍ରତିଭା ପାଟିଲ ମଧ୍ୟ ପଦରେ ରହିବା ସହ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ସେତେବେଳେ ମଧ୍ୟ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ହୋଇଥିଲା ।ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ ହେଉଥିବା ବେଳେ ଅନେକ ହେଭିୱେଟ ନେତା ଓ ଜଣାଶୁଣା ଚେହେରାଙ୍କୁ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି ।

ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଆନସାରୀ, ଭୋପାଳ ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ସ୍ୱାଧୀ ପ୍ରଜ୍ଞା, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଉତ୍ତର-ପୂର୍ବ ଦିଲ୍ଲୀରୁ ବିଜେପିର ପ୍ରାର୍ଥୀ ହୋଇଥିବା ମନୋଜ ତିୱାରୀ ମଧ୍ୟ ଭୋଟ ଦେଉଥିବାର ଦେଖିବାକୁ ମିଳିଛି ।