ମୁଜାଫରନଗର: ଉତ୍ତରପ୍ରଦେଶର ମୁଜାଫରନଗରର ଏକ କଲେଜର ଛାତ୍ରୀମାନେ ବୁର୍ଖା ଓ ହିଜାବ ପିନ୍ଧି ରାମ୍ପ ୱାକ୍ କରିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁସଲମାନ ସଂଗଠନ ଗୁଡ଼ିକ ତୀବ୍ର ବିରୋଧ କରିଛନ୍ତି। ଜମିୟତ ଉଲେମାର ମୌଲାନା ମୁକରମ୍ କାସ୍ମି ଏହାକୁ ସମ୍ପୂର୍ଣ୍ଣ ଭୁଲ୍ ଏବଂ ମୁସଲମାନମାନଙ୍କ ଭାବନାକୁ ଆଘାତ କରୁଛି ବୋଲି କହିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ବୁର୍ଖା କୌଣସି ଫ୍ୟାସନ ସୋ'ର ଅଂଶ ନୁହେଁ। ଯେଉଁ ଝିଅମାନେ ବୁର୍ଖା କିମ୍ବା ହିଜାବ ପିନ୍ଧି ରାମ୍ପ୍ ୱାକ୍ କରିବେ ସେମାନଙ୍କୁ କ୍ଷମା ମାଗିବାକୁ ପଡ଼ିବ।

Advertisment

ଜମିୟତ ଉଲେମାର ମୌଲାନା ମୁକରମ୍ କାସ୍ମି କହିଛନ୍ତି, କଲେଜ କର୍ତ୍ତୃପକ୍ଷ ଓ ଝିଅମାନେ ସର୍ବସାଧାରଣରେ କ୍ଷମା ମାଗିବା ଉଚିତ। ଯଦି ସେମାନେ ଏହା ନ କରନ୍ତି, ତେବେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବୁ ନାହିଁ। ସେମାନେ ଆଉ କୌଣସି ଧର୍ମର ଅନୁଗାମୀଙ୍କ ସହ ଏପରି କରିବା ଉଚିତ ନୁହେଁ।

ନଭେମ୍ବର ୨୬ ତାରିଖରେ ଶ୍ରୀରାମ ମହାବିଦ୍ୟାଳୟର ଫାଇନ ଆର୍ଟସ ବିଭାଗର ଛାତ୍ରଛାତ୍ରୀମାନେ ବୁର୍ଖା ପିନ୍ଧି ରାମ୍ପ ୱାକ୍ କରିଥିଲେ। ଜମିୟତ ଉଲେମା-ଏ-ହିନ୍ଦର ଆବାହକ ମୌଲାନା ମୁକରମ୍ କାଜମି ବୁର୍ଖାକୁ ଏହି ଫ୍ୟାସନ୍ ସୋ'ର ଏକ ଅଂଶ କରିବାକୁ ବିରୋଧ କରିଥିଲେ। ଏହାବ୍ୟତୀତ ମୁସଲିମ ସମାଜର ଆହୁରି ଅନେକ ଲୋକ ମଧ୍ୟ ପ୍ରତିବାଦରେ ଆସିଥିଲେ, କିନ୍ତୁ ଏହି ଘଟଣା ସାମ୍ନାକୁ ଆସିବା ପରେ ବୁର୍ଖା ପିନ୍ଧି ରାମ୍ପ୍ ୱାକ୍ କରିଥିବା ଛାତ୍ରୀମାନେ ସ୍ପଷ୍ଟ ଉତ୍ତର ଦେଇଥିଲେ ଯେ ବୁର୍ଖା ମୁସଲମାନ ମହିଳାଙ୍କ ପୋଷାକ ହୋଇପାରେ କିନ୍ତୁ ଏହାକୁ ଡିଜାଇନର ଢଙ୍ଗରେ ମଧ୍ୟ ପିନ୍ଧିହେବ।