ଜେଲରେ କିଛି କାମ କରୁ ନାହାଁନ୍ତି ରାମରହିମ୍‌

କଏଦୀଙ୍କ ଅଭିଯୋଗ

ନୂଆଦିଲ୍ଲୀ: ରୋହତକ ଜେଲର ଜଣେ କଏଦୀ କହିଛନ୍ତି ଯେ ସେ କେବେ ହେଲେ ବାବା-ରାମ ରହିମଙ୍କୁ କୌଣସି କାମ କରୁଥିବାର ଦେଖିବାକୁ ପାଇ ନାହାଁନ୍ତି । ଅନ୍ୟ କଏଦୀମାନଙ୍କ ଭଳି ସେ କୌଣସି କାମ କରୁ ନାହାନ୍ତି, ବରଂ ଜେଲରେ ଅୟସ ଆରାମର ଜୀବନ ବିତାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ରାମ ରହିମଙ୍କୁ ଭେଟିବାକୁ ଆସୁଥିବା ପରିଦର୍ଶକମାନେ ମଧ୍ୟ ନିର୍ଦ୍ଧାରିତ ଅବଧିଠାରୁ ଅଧିକ ସମୟ ଯାଏଁ ଜେଲ ପରିସରରେ ରହୁଛନ୍ତି ବୋଲି ସେ କହିଛନ୍ତି।

ରୋହତକ ଜେଲରେ ଆତ୍ମଘୋଷିତ ବାବା ରାମରହିମ ଦୁଇ ଜଣ ମହିଳା ଅନୁଗାମୀମାନଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଭୋଗୁଛନ୍ତି । ଗତ ଅଗଷ୍ଟ ମାସରେ ତାଙ୍କୁ ଏଭଳି ଦଣ୍ଡାଦେଶ ହୋଇଥିଲା। ରାହୁଲ ନାମକ ଜଣେ କଏଦୀ କହିଛନ୍ତି ଯେ ଜେଲ ପରିସରରେ ଅବାଧ ଗମନାଗମନ ଲାଗି ଅନ୍ୟ ବନ୍ଦୀମାନଙ୍କୁ ବାରଣ ଥିବା ବେଳେ ରାମ ରହିମ ସ୍ୱଚ୍ଛନ୍ଦରେ ବୁଲୁଥିବାର ସେ ଦେଖିଛନ୍ତି । ବାବା ରାମ ରହିମ ଜେଲ ଭିତରେ କେତେକ ସୁବିଧା ସୁଯୋଗ ମଧ୍ୟ ଉପଭୋଗ କରୁଥିବାର ସେ ସନ୍ଦେହ କରୁଛନ୍ତି ବୋଲି କହିଛନ୍ତି ରାହୁଲ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପାଖକୁ ଜେଲ ବାହାରୁ ସ୍ୱାଦିଷ୍ଟ ଭୋଜନ ଅଣାଯାଉଛି । ସାଧାରଣ କଏଦୀମାନଙ୍କୁ ପରିଦର୍ଶକମାନଙ୍କ ସହିତ ୨୦ ମିନିଟରୁ ଅଧିକ ସମୟ କଥା ହେବାର ବ୍ୟବସ୍ଥା ନ ଥିବା ବେଳେ ରାମରହିମ୍‌ ତାଙ୍କ ପାଖକୁ ଆସୁଥିବା ଲୋକଙ୍କ ସହ ୨ ଘଣ୍ଟା ଯାଏଁ ଗପୁଥିବାର ମଧ୍ୟ ଅଭିଯୋଗ ଆଣିଛନ୍ତି ରାହୁଲ । ରାମରହିମ ଜେଲରେ କିଛି କାମ ନକରି ଖାଲି ଭୁରି ଭୋଜନ କରୁଥିବାର ଅଭିଯୋଗ ଉପରେ ରାଜ୍ୟ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର