ମୁମ୍ବାଇ: ବଢ଼ିଲା ରାଣା ଦମ୍ପତିଙ୍କ ପାଇଁ ଅଡ଼ୁଆ। କିଛି ଦିନ ତଳେ ବେଆଇନ ନିର୍ମାଣ ନେଇ ପ୍ରମାଣ ମିଳିଥିବା ବେଳେ ଶନିବାର ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେସନ୍ (ବିଏମସି) ପକ୍ଷରୁ ସାଂସଦ-ବିଧାୟକ ଦମ୍ପତି ନବନୀତ୍ ରାଣା ଓ ରବି ରାଣାଙ୍କୁ ନୋଟିସ ଜାରି କରାଯାଇଛି। ରହୁଥିବା ଫ୍ଲାଟରେ କରାଯାଇଥିବା ବେଆଇନ ନିର୍ମାଣକୁ ହଟାଇବା ପାଇଁ ୭ ଦିନର ସମୟ ଦିଆଯାଇଛି। ଏଭଳି ନହେଲେ ବିଏମସି ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାରି କରାଯାଇଥିବା ନୋଟିସରେ କୁହାଯାଇଛି।
ଯଦି ରାଣା ଦମ୍ପତି ଅନଧିକୃତ ନିର୍ମାଣକୁ ନହଟାନ୍ତି ତେବେ ବିଏମସି ପକ୍ଷରୁ ଏହାକୁ ହଟାଯିବା ସହ ଘର ମାଲିକକୁ ମାସେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନୋଟିସରେ ସ୍ପଷ୍ଟ କରାଯାଇଛି। କିଛି ଦିନ ତଳେ ବିଏମସି କରିଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ, ଲିଫ୍ଟର ପାସକୁ ରାଣା ଦମ୍ପତି ଶୌଚାଳୟରେ ପରିଣତ କରିଥିବା ବେଳେ ପୂଜା ଘର ଏବଂ ରୋଷେଇ ଘରକୁ ମିଶାଇ ଲିଭିଙ୍ଗ ରୁମ୍ କରିଛନ୍ତି। ଲବିକୁ ଫ୍ଲାଟ ଭିତରେ ଯୋଡ଼ି ଦିଆଯାଇଥିବା ସହ ଛାତର ଏକ ଅଂଶ ଶୋଇବା ଘର ସହିତ ଯୋଡ଼ାଯାଇଛି।
ଉଲ୍ଲେଖଯୋଗ୍ୟ, ଅମରାବତୀର ସ୍ବାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କୁ ଏପ୍ରିଲ୍ ୨୩ ତାରିଖ ଦିନ ଖାର୍ ଥାନା ପୁଲିସ ଗିରଫ କରିଥିଲା। ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ। ଏଥିଯୋଗୁଁ ସଦ୍ଭାବନା ଉଲ୍ଲଂଘନ ହେବା ଓ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା। ଜାମିନ ପାଇଁ ଆଡ୍ଭୋକେଟ୍ ରିଜ୍ୱାନ୍ ମର୍ଚାଣ୍ଟ୍ଙ୍କ ଜରିଆରେ ଏପ୍ରିଲ୍ ୨୫ ତାରିଖରେ ସାଂସଦ-ବିଧାୟକ ଦମ୍ପତି ସେସନ୍ କୋର୍ଟରେ ଆବେଦନ କରିଥିଲେ। ମେ’ ୪ରେ ଦୁହିଁଙ୍କୁ ଜାମିନ ମିଳିବା ପରେ ୫ରେ ଦୁହେଁ ଜେଲରୁ ମୁକୁଳିଥିଲେ।