ନୂଆଦିଲ୍ଲୀ:  ବହୁବର୍ଷର କୂଟନୈତିକ ପ୍ରୟାସ ପରେ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଆମେରିକାରୁ ପ୍ରତ୍ୟର୍ପିତ ହୋଇଛି। ତହବୁରକୁ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଅଣାଯାଇଛି। ଭାରତୀୟ ଗୁଇନ୍ଦା ଏବଂ ତଦନ୍ତକାରୀ ଅଧିକାରୀଙ୍କ ଏକ ମିଳିତ ଟିମ୍ ତହବୁରକୁ ଧରି ଦିଲ୍ଲୀ ପାଲାମ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ପହଞ୍ଚିବା ପରେ ସେଠାରେ ତାକୁ ଏନ୍‌ଆଇଏ ଗିରଫ କରିଥିଲା ଏବଂ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିମାନ ବନ୍ଦରରେ ହିଁ ତହବୁରର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ପ୍ରତ୍ୟର୍ପଣ ସଂକ୍ରାନ୍ତ ଔପଚାରିକତା ପୂରଣ କରାଯାଇଥିଲା। ଏହା ପରେ ବୁଲେଟ୍ ପ୍ରୁଫ୍ ଗାଡ଼ି ଓ ସଶସ୍ତ୍ର କମାଣ୍ଡୋଙ୍କ ସୁରକ୍ଷା ବଳୟରେ ତହବରକୁ ସ୍ବତନ୍ତ୍ର ଏନ୍‌ଆଇଏ ଅଦାଲତରେ ହାଜର କରାଯାଇଥିଲା।  ପଟିଆଲା ହାଉସ୍ କୋର୍ଟ ବାହାରେ ଏଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ଅଦାଲତ ବାହାରେ ଅର୍ଦ୍ଧସାମରିକ ବାହିନୀ ଏବଂ ଦିଲ୍ଲୀ 
ପୁଲିସ କମାଣ୍ଡୋ ମୁତୟନ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଅନେକ ଯାନବାହନ ଯାଞ୍ଚ କରାଯାଇଥିଲା। 

Advertisment

ତହବୁର ରାଣାକୁ ଜେରା ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର ସେଲ୍ ପ୍ରସ୍ତୁତ କରାଯାଇଛି। ୨୬/୧୧ ଆକ୍ରମଣରେ ତହବୁରର ଭୂମିକା ପାଇଁ ସେ ବିଚାରର ସମ୍ମୁଖୀନ ହେବାକୁ ଯାଉଛି। ମୁମ୍ବାଇରେ ହୋଇଥିବା ଏହି ଭୟାନକ ଆକ୍ରମଣରେ ୧୬୬ ଜଣ ପ୍ରାଣ ହରାଇଥିଲେ ଏବଂ ଏଥିରେ ତହବୁରର ବଡ଼ ଭୂମିକା ରହିଥିଲା। ତହବୁର ବିରୋଧରେ ଆପରାଧିକ ଷଡ୍‌ଯନ୍ତ୍ର, ଭାରତ ବିରୋଧରେ ଯୁଦ୍ଧ, ହତ୍ୟା, ଜାଲିଆତି ଏବଂ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ବିଭିନ୍ନ ମାମଲା ରହିଛି। 

ସ୍ବତନ୍ତ୍ର କୋର୍ଟରେ ହାଜର କରାଗଲା
ଜେରାପରେ ତିହାର ଜେଲ୍‌ରେ ରଖାଯିବ  

ଏନ୍‌ଆଇଏ ଦ୍ବାରା ଆନୁଷ୍ଠାନିକ ଗିରଫ ହୋଇଥିବା ତହବୁରକୁ ତିହାର ଜେଲରେ ରଖାଯିବ ବୋଲି ଜଣାପଡ଼ିଛି। ତହବୁର ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ କାରାଗାର ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ୬୪ ବର୍ଷୀୟ ତହବୁର ବିରୋଧରେ ଦିଲ୍ଲୀର ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟରେ ଶୁଣାଣି ଚାଲିବ। ସମସ୍ତ ଶୁଣାଣି ଦିଲ୍ଲୀରେ ହିଁ ହେବାକୁ ଥିବାରୁ ତହବୁରକୁ ମୁମ୍ବାଇ ପଠାଯିବ ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତହବୁର ବିରୋଧରେ ଏହି ମାମଲାରେ ଏନ୍‌ଆଇଏ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପ୍ରସିକ୍ୟୁସନ୍‌ ଟିମର ନେତୃତ୍ୱ ନେବେ ବରିଷ୍ଠ ଆଇନଜୀବୀ ଦୟାନ୍‌ କ୍ରିଷ୍ଣନ। ତାଙ୍କ ସହ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର (ଏସ୍‌ପିପି) ନରେନ୍ଦ୍ର ମାନ୍ ଆଇନଗତ ପ୍ରକ୍ରିୟାର ନେତୃତ୍ବ ନେବେ। ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଭାରତ ଆମେରିକାକୁ ପ୍ରତିଶ୍ରୁତି ଦେଇଛି ଯେ ତହବୁରକୁ ନିର୍ଯାତନା ଦିଆଯିବ ନାହିଁ। ଜେଲ୍‌ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ ଏବଂ କେବଳ ସେହି ଅପରାଧ ପାଇଁ ବିଚାର କରାଯିବ ଯେଉଁଥିପାଇଁ ତାକୁ ପ୍ରତ୍ୟର୍ପଣ କରାଯାଇଛି।

ସୂଚନାଯୋଗ୍ୟ, ପାକିସ୍ତାନୀ ବଂଶୋଦ୍ଭବ କାନାଡାର ନାଗରିକ ତହବୁର ରାଣା ପ୍ରତ୍ୟର୍ପଣରୁ ବର୍ତ୍ତିବା ପାଇଁ ଶେଷ ପ୍ରୟାସ ସ୍ବରୂପ ଆମେରିକା ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଥିଲା। ସେଠାରେ ବିଫଳ ହେବା ପରେ ଭାରତୀୟ ତଦନ୍ତ ଏଜେନ୍ସି ଓ ଅଦାଲତରର ସମ୍ମୁଖୀନ ହେବା ପାଇଁ ତାକୁ ଭାରତ ଅଣାଯାଇଛି। ଅନ୍ୟପକ୍ଷରେ ତହବୁର ଆଜି ଭାରତରେ ପହଞ୍ଚିବା ପୂର୍ବରୁ ସ୍ବତନ୍ତ୍ର ଏନ୍‌ଆଇଏ ଅଦାଲତ ୨୬/୧୧ ମୁମ୍ବାଇ ଆକ୍ରମଣର ଟ୍ରାଏଲ ରେକର୍ଡ ହାସଲ କରିଛି। ମୁମ୍ବାଇ ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ଡେଭିଡ୍ କୋଲମ୍ୟାନ୍ ହେଡ୍‌ଲି ଓରଫ୍ ଦାଉଦ ଗିଲାନି ନାମକ ଜଣେ ଆମେରିକୀୟ ନାଗରିକର ମଧ୍ୟ ତହବୁରର ହେଉଛି ଘନିଷ୍ଠ ସହଯୋଗୀ। ଆତଙ୍କୀ ଅପରେସନ୍‌ ପାଇଁ ତହବୁର ଲଜିଷ୍ଟିକ୍‌ ଏବଂ ଆର୍ଥିକ ସହାୟତା ଯୋଗାଇଥିବା ହେଡ୍‌ଲିକୁ ଜେରା ବେଳେ ଜଣାପଡ଼ିଥିଲା। ସୂଚନାଯୋଗ୍ୟ, ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ର ମାର୍ଗ ଦେଇ ମୁମ୍ବାଇ ସହର ଭିତରକୁ ପ୍ରବେଶ କରିବା ପରେ ମୁମ୍ବାଇର ଏକ ରେଳ ଷ୍ଟେସନ, ଦୁଇଟି ବିଳାସପୂର୍ଣ୍ଣ ହୋଟେଲ ଏବଂ ଏକ ଇହୁଦୀ କେନ୍ଦ୍ର ଉପରେ ସମନ୍ୱିତ ଆକ୍ରମଣ କରିଥିଲେ। ପାଖାପାଖି ୬୦ ଘଣ୍ଟାର ଏହି ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା।