ନୂଆଦିଲ୍ଲୀ: ନଭେମ୍ବର ୨୦୦୮ରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ତହବୁର ରାଣା ତା’ ବନ୍ଧୁ ଡେଭିଡ୍ କୋଲମ୍ୟାନ୍ ହେଡ୍‌ଲିକୁ କହିଥିଲା ଯେ ଆତଙ୍କବାଦୀମାନଙ୍କୁ ସାହସିକତା ପାଇଁ ପାକିସ୍ତାନର ସର୍ବୋଚ୍ଚ ପୁରସ୍କାର ‘ନିଶାନ-ଏ-ହାଇଦର’ ଦିଆଯିବା ଉଚିତ। ରାଣା ମଧ୍ୟ ହେଡଲିକୁ କହିଥିଲା ଯେ ‘ଆକ୍ରମଣରେ ନିହତ ଓ ଆହତ ଭାରତୀୟମାନେ ଏହାର ଯୋଗ୍ୟ’। ଡେଭିଡ୍ କୋଲମ୍ୟାନ୍ ହେଡ୍‌ଲି ହେଉଛି ସେହି ବ୍ୟକ୍ତି ଯିଏ କି ପାକିସ୍ତାନୀ ଆତଙ୍କବାଦୀ ସଂଗଠନର ନିର୍ଦ୍ଦେଶକ୍ରମେ ମୁମ୍ବାଇରେ ଟାର୍ଗେଟ୍‌ଗୁଡ଼ିକ ଉପରେ ଆକ୍ରମଣ ଯୋଜନା କରିଥିଲା। ଆତଙ୍କବାଦୀମାନେ ମୁମ୍ବାଇର ତାଜ ହୋଟେଲ, ଓବେରୟ ହୋଟେଲ, ଲିଓପୋଲ୍ଡ କାଫେ, ଚାବାଦ ହାଉସ ଓ ଛତ୍ରପତି ଶିବାଜୀ ଟର୍ମିନସ ରେଳ ଷ୍ଟେସନ ସମେତ ଏକାଧିକ ଐତିହାସିକ ସ୍ଥାନକୁ ଟାର୍ଗେଟ କରିଥିଲେ।

Advertisment

ଏହି ଆକ୍ରମଣ ସରିବା ପରେ ରାଣା ହେଡଲିକୁ କହିଥିଲା ଯେ ଭାରତୀୟମାନଙ୍କୁ ଠିକ୍‌ ଦଣ୍ଡ ମିଳିଛି । ହେଡ୍‌ଲି ସହ ହୋଇଥିବା କଥାବାର୍ତ୍ତାରେ ରାଣା ଆକ୍ରମଣରେ ନିହତ ହୋଇଥିବା ୯ ଜଣ ଲସ୍କର ଆତଙ୍କବାଦୀଙ୍କୁ ପ୍ରଶଂସା କରିବା ସହ କହିଥିଲା ଯେ, ସେମାନଙ୍କୁ ‘ନିଶାନ-ଏ-ହାଇଦର’ ଦିଆଯିବା ଉଚିତ, ଯାହା କି ଯୁଦ୍ଧରେ ସାହସିକତା ପାଇଁ ସହିଦ ସୈନିକଙ୍କୁ ଦିଆଯାଉଥିବା ପାକିସ୍ତାନର ସର୍ବୋଚ୍ଚ ପୁରସ୍କାର। ୬୪ ବର୍ଷୀୟ ରାଣା ବିରୋଧରେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ଜଡ଼ିତ ଷଡ୍‌ଯନ୍ତ୍ର, ହତ୍ୟା, ଆତଙ୍କବାଦୀ କାର୍ଯ୍ୟକଳାପ ଓ ଜାଲିଆତି ସମେତ ଅନେକ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।