କାର ପାର୍କିଂକୁ ନେଇ ଆଇଏଏସ୍ ଓ ସାଂସଦଙ୍କ ମଧ୍ୟରେ ତୁ..ତୁ ମେ..ମେ; ମାମଲା ଗଲା ଲୋକସଭା ବାଚସ୍ପତିଙ୍କ ନିକଟକୁ

ରାଞ୍ଚି: ଆଇଏଏସ୍ ଆବୁ ଇମ୍ରାନ ଓ ସାଂସଦ ବିଜୟ କୁମାରଙ୍କ ତୁ ତୁ ମେ ମେ ଏବେ ଝାଡ଼ଖଣ୍ଡରେ ଚର୍ଚ୍ଚାର ବିଷୟ ପାଲଟିଛି | ଝାଡଖଣ୍ଡର ଚତରା ଜିଲ୍ଲାର ଡେପୁଟି କମିଶନର ଆବୁ ଇମ୍ରାନଙ୍କ ବିରୋଧରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ଗୟା ଲୋକସଭା ନିର୍ବାଚନମଣ୍ଡଳୀ ସାଂସଦ ବିଜୟ କୁମାର ଅଭିଯୋଗ କରିଛନ୍ତି। କାର ପାର୍କିଂକୁ ନେଇ ଆବୁ ଇମ୍ରାନଙ୍କ ସହ ସାଂସଦ ବିଜୟ କୁମାରଙ୍କ ବଚସା ହୋଇଥିଲା | ପ୍ରୋଟୋକଲ ତଥା ଅଧିକାର ଉଲ୍ଲଂଘନ ମାମଲାରେ ଡେପୁଟି କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି।

ଅଭିଯୋଗରେ ସାଂସଦ ଉଲ୍ଲେଖ କରିଛନ୍ତି ଯେ, ସେ ଜୁଲାଇ ୧୧ ତାରିଖରେ ଚାତରା କଲେକ୍ଟରେଟରେ ପୁଲିସ ଅଧୀକ୍ଷକଙ୍କୁ ଭେଟିବାକୁ ଯାଇଥିଲେ। ତାଙ୍କ କାରକୁ ଅଫିସ୍ ବାହାରେ ଡ୍ରାଇଭର ପାର୍କିଂ କରିଥିଲେ। ସେହି ସମୟରେ ଚାତରା ଡେପୁଟି କମିଶନର ଅବୁ ଇମ୍ରାନ ସେଠାରେ ପହଞ୍ଚି କାର ପାର୍କିଂକୁ ନେଇ ତାଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ। ଯେତେବେଳେ ତାଙ୍କ ଡ୍ରାଇଭର ଚାତରା ଡେପୁଟି କମିଶନରଙ୍କୁ କହିଥିଲେ ଯେ ଏହା ସାଂସଦ ବିଜୟ କୁମାରଙ୍କ ଗାଡି, ଏହା ପରେ ମଧ୍ୟ ଡେପୁଟି କମିଶନର ଅନେକ ଖରାପ କଥା କହି ଗାଡି ଜବତ କରିବାକୁ ଧମକ ଦେଇଥିଲେ। ସେ ଡ୍ରାଇଭର ଏବଂ ଗାଡିର ଡକ୍ୟୁମେଣ୍ଟ ମଧ୍ୟ ଯାଞ୍ଚ କରିଥିଲେ ।

ସାଂସଦ ବିଜୟ କୁମାରଙ୍କ କହିବା ଅନୁଯାୟୀ, ଡେପୁଟି କମିଶନର ଆବୁ ଇମ୍ରାନ ଜାଣିଥିଲେ ଯେ ଏହା ଜଣେ ସାଂସଦଙ୍କ ଗାଡି ଯିଏ ଜଣେ ଦଳିତ ସମ୍ପ୍ରଦାୟର ନେତା ମଧ୍ୟ । ତଥାପି ସେ ସମସ୍ତଙ୍କ ସାମ୍ନାରେ ଦଳିତ ହୋଇଥିବାରୁ ତାଙ୍କୁ ଅପମାନିତ କରିଥିଲେ | ଅଧିକାର କମିଟିର ଉଲ୍ଲଂଘନ ମାଧ୍ୟମରେ ଚତରା ଡେପୁଟି କମିଶନରଙ୍କ ବିରୋଧରେ ତଦନ୍ତ କରାଯାଉ ବୋଲି ସେ ଲୋକସଭା ବାଚସ୍ପତିଙ୍କ ଠାରୁ ଦାବି କରିଛନ୍ତି।

ଡେପୁଟି କମିଶନର ଆବୁ ଇମ୍ରାନଙ୍କ ବିରୋଧରେ ଏହା ପ୍ରଥମ ମାମଲା ନୁହେଁ। ଏହାପୂର୍ବରୁ ପାଲାମୁ ସାଂସଦ ଭି.ଡି. ରାମ ମଧ୍ୟ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସାଂସଦ ଭିଡି ରାମ ଅଭିଯୋଗ କରିଛନ୍ତି ଯେ ସେ ରାଞ୍ଚି ଅଭିମୁଖେ ଯିବାବେଳେ ସେ କିଛି ସମୟ ସର୍କିଟ ହାଉସରେ ରହିଥିଲେ। ଏହି ସମୟରେ ଡେପୁଟି କମିଶନର ଆବୁ ଇମ୍ରାନ ଜାଣିବାକୁ ପାଇଲେ ଯେ ପ୍ରବେଶ ପଥରେ କିଛି ଗାଡି ପାର୍କିଂ ହେତୁ ଜାମ ପରିସ୍ଥିତି ଦେଖାଦେଇଛି। ଏହା ପରେ ସେ ସାଂସଦଙ୍କ ସହ ଆସୁଥିବା ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ସିଂଙ୍କ ଗାଡିର ଲାଇସେନ୍ସ ଜବତ କରିନେଇଥିଲେ। କେବଳ ଏତିକି ନୁହେଁ, ସେ କାରର ଚାବି ମଧ୍ୟ ଛଡାଇ ନେଇଥିଲେ । ଆବୁ ଇମ୍ରାନ ସାଂସଦଙ୍କ ଡ୍ରାଇଭରଙ୍କୁ ସାଧା କାଗଜରେ ଲେଖିବାକୁ କହିଥିଲେ ଯେ ଗାଡିଟି ଭୁଲ ପାର୍କିଂରେ ଥିଲା ଏବଂ କ୍ଷମା ପ୍ରାର୍ଥନା ପରେ ଲାଇସେନ୍ସ ଏବଂ ଚାବି ଫେରସ୍ତ କରିଦେଇଥିଲେ। ସାଂସଦ ଭିଡି ରାମ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ସର୍କିଟ ହାଉସରେ ସାଂସଦ ଉପସ୍ଥିତ ଥିଲେ ମଧ୍ୟ ଡେପୁଟି କମିଶନର ଆବୁ ଇମ୍ରାନ ତାଙ୍କୁ ସାକ୍ଷାତ କରି ନଥିଲେ।

ସମ୍ବନ୍ଧିତ ଖବର