ମୋଟର ଯାନ ଆଇନ ଉଲ୍ଲଂଘନ: ଦିଲ୍ଲୀରେ ବାଇକ୍‌ରେ ନିଆଁ ଲଗାଇଦେଲେ ଯୁବକ

ରାଞ୍ଚିରେ ଟ୍ରାଫିକ୍‌ ପୁଲିସଙ୍କୁ ୩୪ ହଜାର ଟଙ୍କା ଜରିମାନା

ରାଞ୍ଚି/ଦିଲ୍ଲୀ: ନୂଆ ମୋଟର ଯାନ ଆଇନ ଉଲ୍ଳଂଘନ କରିଥିବାରୁ ରାଞ୍ଚିର ଜଣେ ଟ୍ରାଫିକ୍‌ କନେଷ୍ଟବଳଙ୍କୁ ୩୪,୦୦୦ ଟଙ୍କା ଜରିମାନା କରାଯାଇଛି। ରାକେଶ କୁମାର ନାମକ ଜଣେ କନେଷ୍ଟବଳ ଅନ୍ୟ ଜଣେ ଟ୍ରାଫିକ୍‌ ଏସ୍‌ଆଇଙ୍କ ସହ ବିନା ହେଲମେଟ୍‌ରେ ଦୁଇ ଚକିଆ ଯାନ ଚଳାଉଥିବା ଦେଖିବାପରେ ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ଧରି ନେଇଥିଲେ। ତେବେ ହେଲମେଟ୍‌ ପିନ୍ଧିନଥିବାରୁ ତାଙ୍କୁ ଧରାଯାଇଥିଲେ ମଧ୍ୟ ତାଙ୍କଠାରୁ ଅନ୍ୟ କାଗଜପତ୍ର ତଥା ଡ୍ରାଇଭିଙ୍ଗ୍‌ ଲାଇସେନ୍ସ, ପ୍ରଦୂଷଣ ନିୟନ୍ତ୍ରଣ ସଂକ୍ରାନ୍ତ ସାର୍ଟିଫିକେଟ୍‌ ଏବଂ ଏଥିସହ ଅନ୍ୟ ଡକ୍ୟୁମେଣ୍ଟ୍‌ ଦାଖଲ କରିବାକୁ କୁହାଯାଇଥିଲା। କିନ୍ତୁ ସେ କୌଣସି ଗୋଟିଏ କାଗଜପତ୍ର ମଧ୍ୟ ଦେଇପାରିନଥିଲେ। ତେଣୁ ନୂଆ ମୋଟର ଯାନ ଆଇନ ଅଧୀନରେ ତାଙ୍କୁ ୩୪,୦୦୦ ଟଙ୍କା ଜରିମାନା କରାଯାଇଛି। ତେବେ ଜଣେ ସାଧାରଣ ଲୋକ ଏହି ସ୍ଥଳରେ ୧୭,୦୦୦ ଟଙ୍କା ଦେଇଥା‌ନ୍ତେ। ଜଣେ ଟ୍ରାଫିକ୍‌ ପୁଲିସ ହୋଇ ନିୟମ ଉଲ୍ଳଂଘନ କରିଥିବାରୁ ତାଙ୍କ ପାଇଁ ଜରିମାନା ଦ୍ବିଗୁଣା କରାଯାଇଛି। ସେହିପରି ଦିଲ୍ଲୀରେ ଜଣେ ବ୍ୟକ୍ତି ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ ଟ୍ରାଫିକ୍‌ ପୁଲିସ ହାତରେ ଧରା ପଡ଼ିବାପରେ ତାଙ୍କୁ ଜରିମାନା କରାଯାଇଥିଲା। ସେ ଜରିମାନା ଦେବା ପରିବର୍ତ୍ତେ ରାସ୍ତା ଉପରେ ତାଙ୍କ ଗାଡ଼ି ଉପରେ ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର