ନୂଆଦିଲ୍ଲୀ : ଗତକାଲି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛି କଂଗ୍ରେସ । ଏହି ହିଂସା ରୋକିବାରେ ବିଫଳତା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗତ କାଲି ଦିଲ୍ଲୀରେ ହୋଇଥିବା ହିଂସା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଦାୟୀ । ଦିଲ୍ଲୀର ଆଇନ ବ୍ୟବସ୍ଥା ଭୁଷୁଡ଼ିବା ଓ ଗୁଇନ୍ଦା ବିଫଳତା ପାଇଁ ଅମିତ ଶାହା ଇସ୍ତଫା ଦିଅନ୍ତୁ । ଗତବର୍ଷର ସିଏଏ ହିଂସା ପରେ ଦ୍ବିତୀୟ ଥର ପାଇଁ ଦିଲ୍ଲୀକୁ ସୁରକ୍ଷା ଦେବାରେ ଶାହା ବିଫଳ ହୋଇଛନ୍ତି । ଏଣୁ ପ୍ରଧାନମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ।
ଅନ୍ୟପକ୍ଷରେ ଆଜି ଦିଲ୍ଲୀ ପୁଲିସ ହିଂସାକାଣ୍ଡ ଘଟାଇଥିବା ପ୍ରକୃତ ଦୁର୍ବୁତ୍ତମାନଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ ନକରି କୃଷକନେତା ମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି । ଏଥିରୁ ଜଣାପଡ଼ୁଛି ଯେ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତି ଓ ବିଜେପି ମଧ୍ୟରେ ଗୋପନ ବୁଝାମଣା ରହିଛି ।
ଗତ କାଲି ହୋଇଥିବା ହିଂସା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ଆଜି ଏଫଆଇର ରୁଜ୍ଜୁ କରାଯାଇଛି । ଏହି ଏଫଆଇଆରରେ ଏହି ହିଂସା ପାଇଁ ବିଭିନ୍ନ କୃଷକ ସଂଗଠନର ନେତାମାନଙ୍କୁ ଦାୟୀ କରାଯାଇଛି । ଏଫଆଇଆରରେ ନାମିତ କୃଷକ ନେତାମାନଙ୍କ ମଧ୍ୟରେ ରହିଛନ୍ତି ରାକେଶ ଟିକାୟତ, ଯୋଗେନ୍ଦ୍ର ଯାଦବ, ମେଧା ପାଟେକର, ବିଜେନ୍ଦ୍ର ସିଂ ବିର୍କ, ଭିଏମ ସିଂ, ଗଜତାର ସିଂ ବାଜଓ୍ବା, ରାଶିପାଲ ସିଂ, ବିକେୟୁ ବାବନ ଗ୍ରୁପ, ହରପାଲ ସିଂ, ବିନୋଦ କୁମାର (ଜାଠ ମହାସଭା) ।