ପୁଣି  ପ୍ରଧାନମନ୍ତ୍ରୀ ହେଲେ ରନିଲ ଓ୍ଵିକ୍ରମସିଂଘେ, ଶ୍ରୀଲଙ୍କାରେ ରାଜନୈତିକ ସଂକଟର ଅବସାନ

କଲୋମ୍ବୋ : ରନିଲ ଓ୍ଵିକ୍ରମସିଂଘେ ପୁଣି ଥରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦକୁ ଫେରିଛନ୍ତି । ଗତ ଅକ୍ଟୋବର ମାସରେ ବିବାଦୀୟ ଢଙ୍ଗରେ ମହିନ୍ଦ୍ରା ରାଜପକ୍ଷେ ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ରାଜନୈତିକ ସଂକଟ ସୃଷ୍ଟି ହୋଇଥିଲା । ତେବେ ଘଟଣାରେ ସଂସଦ ଓ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସ୍ଥିତି ପୁଣି ସ୍ୱାଭାବିକ ହୋଇଛି ।

ଗତସପ୍ତାହରେ ଧାର୍ଯ୍ୟ ସମୟ ପୂର୍ବରୁ ଶ୍ରୀଲଙ୍କାର ସଂସଦକୁ ଭାଙ୍ଗିଦେବା ବେଆଇନ ବୋଲି ଶ୍ରୀଲଙ୍କାର ସୁପ୍ରିମକୋର୍ଟ ରାୟ ଦେଇଥିଲେ । ୨୦ ମାସ ପୂର୍ବରୁ ସଂସଦକୁ ଭାଙ୍ଗିଦେବା ଅସାମ୍ବିଧାନିକ ବୋଲି କୋର୍ଟ କହିଥିଲେ । ଏକ ସାତ ଜଣିଆ ସାମ୍ବିଧାନିକ ବେଞ୍ଚ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ଏହା ଫଳରେ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଓ ରାଜପକ୍ଷେଙ୍କୁ ଡବଲ ଧକ୍କା ଲାଗିଛି । ଏହା ପୂର୍ବରୁ  ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ସଂସଦରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥିଲେ ।

ଗତ ମାସରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ବରଖାସ୍ତ ଓ ସଂସଦକୁ ଭାଙ୍ଗିଦେବାକୁ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଦେଇଥିବା ନିର୍ଦ୍ଦେଶକୁ ବେଆଇନ ଘୋଷଣା କରଥିଲେ ଶ୍ରୀଲଙ୍କାର ସୁପ୍ରିମକୋର୍ଟ । ଗତ ଅକ୍ଟୋବର ୨୬ରେ ରାଷ୍ଟ୍ରପତି ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିବାସହ ବିବାଦୀୟ ଭାବେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ । ଏହାକୁ ନେଇ ଦେଶରେ ସାମ୍ବିଧାନିକ ସଂକଟ ଦେଖାଦେଇଥିଲା ।

ସମ୍ବନ୍ଧିତ ଖବର