ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ରାନିଲ୍‌ ବିକ୍ରମସିଂଘେ

କଲମ୍ବୋ: ଆଜି ସଂସଦ ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବେ ରାନିଲ୍‌ ବିକ୍ରମସିଂଘେଙ୍କୁ ନିର୍ବାଚିତ କରିଛି। ଆଗରୁ ୬ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିବା ରାନିଲ୍‌ ବିକ୍ରମସିଂଘେ ପ୍ରତିଦ୍ବନ୍ଦ୍ବୀ ବିରୋଧୀ ପ୍ରାର୍ଥୀ ଡଲାସ୍‌ ଅଲାହାପ୍ପେରୁମା ଏବଂ ବାମପନ୍ଥୀ ଦଳ ‘ଜନତା ବିମୁକ୍ତି ପେରାମୁନା’ (ଜେଭିପି) ପ୍ରାର୍ଥୀ ଅନୁର କୁମାର ଦିଶାନାୟକେଙ୍କୁ ପରାସ୍ତ କରି ଗୋଟାବାୟା ରାଜ‌ପକ୍ଷେଙ୍କ ଉତ୍ତରାଧିକାରୀ ହୋଇପାରିଛନ୍ତି।

ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଏବଂ ବିଦେଶକୁ ପଳାୟନ କରି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେବା ପରେ ବିକ୍ରମସଂଘେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ବ ନିର୍ବାହ କରୁଥିଲେ।

ପ୍ରବଳ ଜନପ୍ରତିବାଦ ସତ୍ତ୍ବେ ୭୩ ବର୍ଷିୟ ରାନିଲ୍‌ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ୧୩୪ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ବିଜୟ ହାସଲ କରିବା ପରେ ସଂସଦକୁ ସମ୍ବୋଧନ କରିବା ଅବସରରେ ବିକ୍ରମସିଂଘେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି କି, ସଂସଦ ପ୍ରକୋଷ୍ଠ ବାହାରେ ଥିବା ସଂସଦ ପରିସର ମଧ୍ୟରେ ଶପଥ ଗ୍ରହଣ କରିବା ଲାଗି ତାଙ୍କୁ ଅନୁମତି ମିଳୁ।

ଆସନ୍ତାକାଲିଠାରୁ ସେ ସର୍ବଦଳୀୟ ଆଲୋଚନା ଆରମ୍ଭ କରିବା ଲାଗି ଇଚ୍ଛୁକ ଥିବା କଥା ମଧ୍ୟ ଜଣାଇଛନ୍ତି।

Image Courtesy of Outlook India

ତାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିଥିବା ଡଲାସ୍‌ ଅଲାହାପ୍ପେରୁମା ୮୨ଖଣ୍ଡ ଏବଂ ମାତ୍ର ଅନୁର କୁମାର ଦିଶାନାୟକେ ୩ଖଣ୍ଡ ଭୋଟ୍‌ ପାଇଛନ୍ତି।

ଆଜି ପୂର୍ବାହ୍ନରେ ଶ୍ରୀଲଙ୍କା ସଂସଦରେ ଅନୁଷ୍ଠିତ ଭୋଟ୍‌ ଦାନରୁ ୨ଜଣ ସାଂସଦ ନିରତ ରହିଥିବା ବେଳେ ୪ ଖଣ୍ଡ ଭୋଟ୍‌ ରିଜେକ୍ଟ୍‌ ହୋଇଯାଇଥିଲା। ଗ୍ରହଣ କରାଯାଇଥିବା ସମୁଦାୟ ୨୨୩ ଖଣ୍ଡ ଭୋଟ୍‌ରୁ ୨୧୯ ଖଣ୍ଡ ଭୋଟ୍‌ ବୈଧ୍ୟ ବୋଲି ଘୋଷଣା କରାଯାଇଥିଲା।

କ‌ଲମ୍ବୋସ୍ଥିତ ରାଷ୍ଟ୍ରପତିଙ୍କ ସଚିବାରଳୟ ବାହାରେ ନିରବ ଜନପ୍ରତିବାଦ ଚାଲିଥିବା ବେଳେ ନୂତନ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର