ରାନିଲଙ୍କ ବିଜୟ ପରେ ଗୋଟାବାୟାଙ୍କ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ ସମ୍ଭାବନା ବଢିଲା

କଲମ୍ବୋ :  ବୁଧବାର ଦିନ ରାନିଲ ବିକ୍ରମସିଂହେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସିଂଗାପୁରରେ ରହୁଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ପରିସ୍ଥିତି ଟିକିଏ ସହଜ ହୋଇଯାଇଛି । ରାନିଲ ତାଙ୍କର ଅତି ବିଶ୍ବସ୍ତ ହୋଇଥିବାରୁ ଏଣିକି ସେ ନିରାପଦରେ ଶ୍ରୀଲଙ୍କା ଫେରିବାର ସମ୍ଭାବନା ବଢିଯାଇଛି ।

ଶ୍ରୀଲଙ୍କା ସମ୍ବାଦପତ୍ର କଲମ୍ବୋ ଟେଲିଗ୍ରାଫରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ବିକ୍ରମସିଂହେ ଯେପରି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ସେଥିପାଇଁ ରାଜପକ୍ଷେଙ୍କ ଦଳ ସବୁପ୍ରକାରର ବ୍ୟବସ୍ଥା କରିଥିଲା । ବିକ୍ରମସିଂହେଙ୍କ ବିଜୟ ପାଇଁ ଆବଶ୍ୟକ ସାଂସଦଙ୍କ ସମର୍ଥନ ଯୋଗାଡ଼ କରିବା ପାଇଁ ରାଜପକ୍ଷେଙ୍କ ଦଳ ହିଁ ଉଦ୍ୟମ କରୁଥିଲା । ନିଜେ ଗୋଟାବାୟା ସିଂଗାପୁରରେ ରହି ଏହାକୁ ପ୍ରତ୍ୟକ୍ଷଭାବେ ତଦାରଖ କରୁଥିଲେ ବୋଲି କୁହାଯାଉଛି ।

ଏହାଛଡ଼ା ରାଜପକ୍ଷେଙ୍କ ଅମଳରେ ଲାଭବାନ ହୋଇଥିବା କେତେକ ଶିଳ୍ପପତି ଓ ମାଫିଆ ମଧ୍ୟ ବିକ୍ରମସିଂହେଙ୍କ ପଛରେ ଛିଡ଼ା ହୋଇଥିଲେ । ଏଣୁ ବିକ୍ରମସିଂହେଙ୍କ ବିଜୟ ପ୍ରକୃତରେ ଗୋଟାବାୟାଙ୍କ ବିଜୟ ବୋଲି କୁହାଯାଉଛି । କାରଣ ବିକ୍ରମସିଂହେଙ୍କ ନାମରେ ରାଜପକ୍ଷେ ପରିବାର ହିଁ ପ୍ରକୃତରେ ସରକାର ଚଳାଇବେ ।

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ କଲେ ଗୋଟାବାୟାଙ୍କୁ ସର୍ବୋଚ୍ଚ ସୁରକ୍ଷା ପ୍ରଦାନ କରିବାକୁ ବିକ୍ରମସିଂହେ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହିତ ମହିନ୍ଦ ଓ ବାସିଲଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

 

ସମ୍ବନ୍ଧିତ ଖବର