ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସାବରକରଙ୍କ ନାତି ରଣଜିତ

ମୁମ୍ବାଇ: ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହେବା କାରଣରୁ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ହିନ୍ଦୁତ୍ୱ ବିଚାରପନ୍ଥୀ ବିନାୟକ ଦାମୋଦର ସାବରକରଙ୍କ ନାତି ରଣଜିତ ସଭରକର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଥା ଶନିବାର ସକାଳେ ଜଣାପଡ଼ିଛି।

ଜେଜେବାପାଙ୍କ ବିଷୟରେ ଚାଲିଥିବା ବିବାଦ ଯୋଗୁଁ ୫୫ ବର୍ଷିୟ ରଣଜିତଙ୍କର ମାନସିକ ଚାପ ଓ ଉତ୍ତେଜନା ବଢ଼ିଯାଇଥିବା କୁହାଯାଉଛି।
ମଧ୍ୟପ୍ରଦେଶରେ କଂଗ୍ରେସ ଅନୁବନ୍ଧିତ ‘ସେବା ଦଳ’ ଗୋଟାଏ ପୁସ୍ତିକା ବଣ୍ଟନ କରିବା ପରେ ବିବାଦର ସୂତ୍ରପାତ ହୋଇଥିଲା। ସାବରକରଙ୍କ ଦେଶପ୍ରେମ ଓ ସୌର୍ଯ୍ୟ ଉପରେ ଏଥିରେ ପ୍ରଶ୍ନ ଉଠାଯାଇଛି।

Image Source: Republic World

‘ବୀର ସାବରକର, କେଡ଼େ ବୀର?’ ଶୀର୍ଷକ ଏହି ହିନ୍ଦୀ ପୁସ୍ତିକାରେ ଉଲ୍ଲେଖ ଅଛି ଯେ ସାବରକର ଓ ମହାତ୍ମା ଗାନ୍ଧୀଙ୍କ ଆତତାୟୀ ନାଥୁରାମ ଗଡ଼ସେଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ଥିଲା।

ଜେଜେବାପାଙ୍କ ସପକ୍ଷରେ କହିବାକୁ ରଣଜିତ ବିଭିନ୍ନ ଟେଲିଭିଜନ ଷ୍ଟୁଡିଓକୁ ଦୌଡୁଥିବାରୁ ତାଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଛି। ଗତରାତିରେ ତାଙ୍କ ରକ୍ତଚାପ ୨୨୦ରେ ପହଞ୍ଚିଥିଲା। ତେଣୁ ତାଙ୍କୁ ମହିମସ୍ଥିତ ରାହେଜା ଫର୍ଟିଜ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଆଇସିୟୁରେ ଥିବା ରଣଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର