ନୂଆଦିଲ୍ଲୀ : ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଭାବେ ଭାରତ ଯେଉଁ ମାନ୍ୟତା ହାସଲ କରିଛି ସେଥିପ୍ରତି ବିପଦ ସୃଷ୍ଟି ହୋଇଛି। ତାହାର ପ୍ରମୁଖ କାରଣ ହେଉଛି ଦରଦାମ୍ ସ୍ଥିତି। ଏହି ସମସ୍ୟାର ମୁକାବିଲା ଲାଗି ଲଗାତାର ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ବଢ଼ାଉଥିବାରୁ ଆଗାମୀ ଦିନରେ ଅଭିବୃଦ୍ଧି ହାର ହ୍ରାସ ପାଇବ ବୋଲି ଅର୍ଥନୀତିଙ୍କମାନେ ଆକଳନ କରିଛନ୍ତି।
ରଏଟର ପକ୍ଷରୁ ଅର୍ଥନୀତିଜ୍ଞମାନଙ୍କୁ ନେଇ କରାଯାଇଥିବା ଏକ ମତଦାନରୁ ଜଣାପଡ଼ିଛି ଯେ ଚଳିତ ତ୍ରୈମାସିକରେ ଅଭିବୃଦ୍ଧି ହାର ୬.୨% ଭଳି ନିମ୍ନ ସ୍ତରକୁ ଖସିଯିବ। ପୂର୍ବରୁ ସେମାନେ ଆକଳନ କରିଥିଲେ ଏହି ତିନି ମାସରେ ଅଭିବୃଦ୍ଧି ୧୫.୨% ଭଳି ଉଚ୍ଚ ସ୍ତରରେ ରହିବ। ଏଥି ସହିତ ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଅଭିବୃଦ୍ଧି ହାର ଆହୁରି ତଳକୁ ଖସି ୪.୫ ପ୍ରତିଶତରେ ପହଞ୍ଚିବ। ୨୦୨୨ରେ ମୋଟ ଉପରେ ଭାରତର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବା ଆକଳନ କରାଯାଇଛି।
ସୋସେଇଟି ଜେନେରାଲେର ଅର୍ଥନୀତିଜ୍ଞ କୁନାଲ କୁଣ୍ଡୁ କହିଛନ୍ତି ଯେ ଭାରତ ଯଦିଓ ଏବେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିଛି, କିନ୍ତୁ ଅଭିବୃଦ୍ଧି ଧାରାକୁ ଆଗକୁ ବଢ଼ାଇବା ଲାଗି ଯଥେଷ୍ଟ ସହଯୋଗ ମିଳୁନାହିଁ। ଉଚ୍ଚ ବେକାରି ହାର ଓ ମଜୁରି ସର୍ବନିମ୍ନ ସ୍ତରରେ ରହିଛି। ନିବେଶ ଜରିଆରେ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବା ବେଳେ ସରକାର ଗୋଟିଏ ପଦକ୍ଷେପ ନେଲେ ଆଉ ବହୁ ପଦକ୍ଷେପ ନେବାକୁ ଭୁଲି ଯାଉଛନ୍ତି। ସେଥିପାଇଁ ଏବେବି ଅଭିବୃଦ୍ଧି ହାର ମହାମାରୀ ପୂର୍ବ ସମୟ ସ୍ତରରେ ପହଞ୍ଚିପାରୁନଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/GDP.jpg)