ନୂଆଦିଲ୍ଲୀ: କନ୍ନଡ ଅଭିନେତ୍ରୀ ରଣ୍ୟା ରାଓ ପୁଲିସ ସାମ୍ନାରେ ସୁନା ଚୋରା ଚାଲାଣ ମାମଲାରେ ତାଙ୍କର ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି। ଏବଂ ତାଙ୍କୁ ଫସାଇ ଦିଆଯାଇଛି ବୋଲି ଦାବି କରିଛନ୍ତି। ଇଣ୍ଡିଆ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଦ୍ୱାରା ପଚରାଉଚରା ସମୟରେ ରାଣ୍ୟା କାନ୍ଦିକାନ୍ଦି ନିଜକୁ ନିର୍ଦୋଷ ବୋଲି ଦାବି କରିଥିଲେ।
୨୦୨୫ ମାର୍ଚ୍ଚ ୭ ତାରିଖରେ କୋର୍ଟରେ ହାଜର କରାଯିବା ସମୟରେ ରାଣ୍ୟା ତାଙ୍କ ଓକିଲମାନଙ୍କୁ କହିଥିଲେ, “ମୁଁ କାହିଁକି ଏଥିରେ ସାମିଲ ହେଲି ତାହା ଭାବୁଛି। ରାତିରେ ନିଦ ହେଉ ନାହିଁ। ଭୋକଶୋଷ ସବୁକୁ ଭୁଲି ଗଲିଣି। ବିମାନବନ୍ଦରରେ ମୋ ଉପରେ ହୋଇଥିବାେ ଚଢ଼ାଉ କଥା ଭାବିଲେ ମନ ପାଗଳ ପରି ହୋଇଯାଉଛି। ମୁଁ ମାନସିକ ଭାବରେ ବିଚଳିତ ହୋଇପଡ଼ିଛି। କ’ଣ କରିବି କ’ଣ ନାହିଁ କିଛି ବୁଝି ପାରୁନାହିଁ।"
ଅଧିକାରୀମାନଙ୍କ କହିବାନୁସାରେ, ‘ରାଣ୍ୟା ଯଦି ସୁନା ଚୋରା ଚାଲାଣ ଘଟଣାରେ ସାମିଲ ଥିବା ନେଇ ଅସ୍ବୀକାର କରୁଛନ୍ତି ତେବେ ତାଙ୍କୁ କିଏ ଏହି ଚୋରା ଚାଲାଣରେ ସାମିଲ କରିଛି ସେ କଥା କୁହନ୍ତୁ। କେଉଁ ପରିସ୍ଥିତିରେ ସେ ଏଥିରେ ସାମିଲ ହୋଇଛନ୍ତି ତାହା ସ୍ପଷ୍ଟ କରନ୍ତୁ।
ଏହି ମାମଲାଟି ଗତବର୍ଷ ଚେନ୍ନାଇରେ ଘଟିଥିବା ଏକ ଘଟଣା ସହିତ ସମାନ ମନେ ହେଉଛି। ଯେଉଁ ଘଟଣାରେ କେରଳର ଜଣେ ସଫ୍ଟୱେର୍ କର୍ମଚାରୀଙ୍କ ପତ୍ନୀ ଦୁବାଇରୁ ୧୨ କିଲୋ ସୁନା ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ।
ପରେ ତଦନ୍ତରୁ ଜଣାପଡିଲା ଯେ ସୁନା ଚୋରା ଚାଲାଣରେ ସମ୍ପୃକ୍ତ ଜଣେ ବନ୍ଧୁ ମହିଳାଙ୍କୁ ବ୍ଲାକମେଲ୍ କରି ସୁନା ଚାଲାଣ କରିବାକୁ ବାଧ୍ୟ କରିଥିଲେ। ସେହିପରି ରଣ୍ୟା ରାଓଙ୍କୁ କେହି ବାଧ୍ୟ କରିଛନ୍ତି କି ସୁନା ଚାଲାଣ କରିବାକୁ ସେ ଦିଗରେ କଡ଼ାକଡ଼ି ତଦନ୍ତ ହେଉଛି।