ଆଇନ ଛାତ୍ରୀ ଦୁଷ୍କର୍ମ ମାମଲା: ଜେଲ୍‌ ଗଲେ ଚିନ୍ମୟା‌ନନ୍ଦ

ସ୍ବୀକାର କଲେ, ଆଇନ ଛାତ୍ରୀଙ୍କ ସହ ୨୦୦ ଥର କଥା ହୋଇଛନ୍ତି, ମସାଜ୍‌ ପାଇଁ ଡକାଉଥିଲେ

ଲକ୍ଷ୍ନୌ ଉତ୍ତରପ୍ରଦେଶର ଜଣେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଆଜି ଗିରଫ ହୋଇଛନ୍ତି। ଶାହଜାହନପୁର ଜିଲ୍ଲା ସ୍ଥିତ ଚିନ୍ମୟାନନ୍ଦଙ୍କ ଆଶ୍ରମରୁ ଆଜି ସକାଳ ୮.୫୦ରେ ଏସ୍‌ଆଇଟି ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ଚିନ୍ମୟାନନ୍ଦଙ୍କୁ କୋଟୱାଲି ଥାନା ନିଆଯାଇଥିଲା ଏବଂ ସେଠାରୁ ତାଙ୍କୁ ହସ୍ପିଟାଲ୍‌ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା‌ ପରେ ଚିନ୍ମୟାନନ୍ଦଙ୍କୁ ସିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଚିନ୍ମୟାନନ୍ଦଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଚିନ୍ମୟାନନ୍ଦ ଏବେ ଶାହଜାହନପୁର ଜିଲ୍ଲା ଜେଲ୍‌ରେ ଅଛନ୍ତି। ଦୁଷ୍କର୍ମ ମାମଲା ବ୍ୟତୀତ ଅନ୍ୟ ସମସ୍ତ ଅଭିଯୋଗ ଏବଂ ତାଙ୍କ ବିରୋଧରେ ଥିବା ଡିଜିଟାଲ ପ୍ରମାଣକୁ ସେ ସ୍ବୀକାର କରିଛନ୍ତି। ତାଙ୍କୁ ‌ଜେଲ୍‌ ହସ୍ପିଟାଲ୍‌ରେ ରଖାଯିବ ବୋଲି ଜଣାପଡ଼ିଛି। ୨୩ ବର୍ଷୀୟ ଆଇନ ଛାତ୍ରୀ ଆତ୍ମହତ୍ୟା ଧମକ ଦେବାପରେ ଚିନ୍ମୟାନନ୍ଦଙ୍କୁ ଗିରଫ କରାଯାଇଛି। ଛାତ୍ରୀ ଜଣଙ୍କ ଗତ ବୁଧବାର ଦିନ କହିଥିଲେ ଯେ ତାଙ୍କ ବୟାନ ରେକର୍ଡ ହେବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଏସ୍‌ଆଇଟି ଚିନ୍ମୟାନନ୍ଦଙ୍କୁ ଗିରଫ କରୁନାହିଁ। ଚିନ୍ମୟାନନ୍ଦ ଗିରଫ ନହେଲେ ସେ ଆତ୍ମହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ। ଧାରା ୩୭୬ସି, ୩୫୪ ଡି, ୩୪୨ ଏବଂ ୫୦୬ ଅଧୀନରେ ଚିନ୍ମୟାନନ୍ଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ୭୨ ବର୍ଷୀୟ ଚିନ୍ମୟାନନ୍ଦ ଗିରଫ ହୋଇ ଜେଲ୍‌ ଯାଇଥିଲେ ମଧ୍ୟ ତାଙ୍କ ବିରୋଧରେ ଏଯାବତ୍‌ ଦୁଷ୍କର୍ମ ମାମଲା ରୁଜୁ ହୋଇନାହିଁ। ଅନ୍ୟପକ୍ଷରେ ଆଇନ ଛାତ୍ରୀଙ୍କ ବିରୋଧରେ ବ୍ଲାକ୍‌ମେଲ କରି ବଳପୂର୍ବକ ଅର୍ଥ ଆଦାୟ କରିବା ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଡିଜିପି ଓପି ସିଂହ କହିଛନ୍ତି ଚିନ୍ମୟାନନ୍ଦଙ୍କ ସହ ଅନ୍ୟ ୩ ଜଣ ବ୍ୟକ୍ତି ସଂଜୟ ସିଂହ, ସଚିନ ସିଂହ ଏବଂ ବିକ୍ରମଙ୍କୁ ଏସ୍‌ଆଇଟି ଗିରଫ କରିଛି। ଏହି ୩ ଜଣ ଚିନ୍ମୟାନନ୍ଦଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍‌ କରିବା ଧମକ ଦେଇ ତାଙ୍କଠାରୁ ୫ କୋଟି ଟଙ୍କା ଦାବି କରିଥିବା ଅଭିଯୋଗ ରହିଛି। ଜଣାଯାଇଛି ଯେ ପୀଡ଼ିତା ଆଇନ ଛାତ୍ରୀ ସଂଜୟ ସିଂହଙ୍କ ସହ ଲଗାତାର କଥା ହେଉଥିଲେ। ଉଭୟ ଜାନୁଆରି ୧ତାରିଖରୁ ୪୨୦ ଥର କଥା ହୋଇଥିବା ଜଣାପଡ଼ିଛି। ଉକ୍ତ ମାମଲାରେ ସଂଜୟ ସିଂହ ଏବଂ ଆଇନ ଛାତ୍ରୀଙ୍କ ମୋବାଇଲ୍‌ ମଧ୍ୟ ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଯିବ।

ଉଲ୍ଲେଖଯୋଗ୍ୟ, ସ୍ବାମୀ ଚିନ୍ମୟାନନ୍ଦଙ୍କ ଦ୍ବାରା ପରିଚାଳିତ ଏକ କଲେଜ୍‌ରେ ଉକ୍ତ ଆଇନ ଛାତ୍ରୀ ଅଧ୍ୟୟନ କରୁଥିଲେ। ସେ ଚିନ୍ମୟାନନ୍ଦଙ୍କ ଦ୍ବାରା ବର୍ଷେ ପର୍ଯ୍ୟନ୍ତ ଦୁଷ୍କର୍ମ ଏବଂ ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ ବୋଲି ଅଭିଯୋଗ କରିଥିଲେ। ଏହି ମାମଲାରେ ସେ ପୂର୍ବରୁ ଶାହଜାହନପୁର ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାଙ୍କ ଅଭିଯୋଗ ରଖିନଥିଲା। ପରେ ପୀଡ଼ିତା ସେପ୍ଟେମ୍ବର ୫ ତାରିଖରେ ଦିଲ୍ଲୀ ପୁଲିସରେ ଦୁଷ୍କର୍ମ ମାମଲା ରୁଜୁ କଲେ। ଏହାପରେ ଗତ ୭ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏସ୍‌ଆଇଟିକୁ ଏହି ମାମଲା ହସ୍ତାନ୍ତର କରାଯାଇଥିଲା।

କୃଷ୍ଣପାଲ୍‌ ସିଂହରୁ ସ୍ବାମୀ ଚିନ୍ମୟାନନ୍ଦ
ଉତ୍ତରପ୍ରଦେଶର ଗୋଣ୍ଡାରେ ଜନ୍ମିତ ସ୍ବାମୀ ଚିନ୍ମୟାନନ୍ଦଙ୍କ ପିଲାଦିନର ନାମ ଥିଲା କୃଷ୍ଣପାଲ୍‌ ସିଂହ। ଅଟଳ ବିହାରୀ ବାଜପେୟୀ ସରକାରରେ ସେ ଗୃହ ରାଷ୍ଟ୍ରମନ୍ତ୍ରୀ ଥ‌ିଲେ। ଏସ୍‌ଏସ୍‌ପିଜିସି (ସ୍ବାମୀ ସୁଖଦେବାନନ୍ଦ ପୋଷ୍ଟ୍‌ ଗ୍ରାଜୁଏଟ୍‌ କଲେଜ୍‌) ପରିଚାଳନା କମିଟିର ସେ ଅଧ୍ୟକ୍ଷ ଥି‌ଲେ। ଏହି କଲେଜ୍‌ରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ୨୩ ବର୍ଷୀୟା ଆଇନ ଛାତ୍ରୀ ଅଧ୍ୟୟନ କରୁଥିଲେ। ଉତ୍ତରପ୍ର‌ଦେଶର ଶାହଜାହନପୁରରେ ଚିନ୍ମୟାନନ୍ଦ ମୁମୁକ୍ଷୁ ଆଶ୍ରମ ପରିଚାଳନା କରୁଥିଲେ। ୧୯୯୯ରେ ଚିନ୍ମୟାନନ୍ଦ ଜଣେ ବିଜେପି ପ୍ରାର୍ଥୀ ଭାବେ ଉତ୍ତରପ୍ରଦେଶର ଜଉନ୍‌ପୁରରୁ ୧୩ ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୧ରେ ସେ ବଦାଉଁରୁ ଦଶମ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୯୮ରେ ମଛଲିସହରରୁ ନିର୍ବାଚିତ ହୋଇଥିଲେ। ୨୦୧୧ରେ ମଧ୍ୟ ଚିନ୍ମୟାନନ୍ଦଙ୍କ ଆଶ୍ରମର ଜଣେ ଅନୁଗାମୀ ତାଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଅପହରଣ ଅଭିଯୋଗ ଆଣିଥିଲେ। ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ ସେ ଚିନ୍ମୟାନନ୍ଦଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେବାପରେ ଗର୍ଭବତୀ ଥିଲେ ଏବଂ ତାଙ୍କୁ ଗର୍ଭ ନଷ୍ଟ କରିବାପାଇଁ ବାଧ୍ୟ କରାଯାଇଥିଲା। ତେବେ ୨୦୧୮ରେ ଉତ୍ତରପ୍ରଦେଶ ସରକାର ଚିନ୍ମୟାନନ୍ଦଙ୍କ ବିରୋଧରେ ଥିବା ଏହ‌ି ମାମଲା ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ‌ନେଇଥିଲେ। ଏହାକୁ ନେଇ ସେତେବେଳେ ମଧ୍ୟ ତମ୍ବିତୋଫାନ ସୃଷ୍ଟି ହୋଇଥିଲା।

ନୂଆଦିଲ୍ଲୀ : ଛାତ୍ରୀ ଦୁଷ୍କର୍ମ ମାମଲାରେ ଆଜି ସ୍ବାମୀ ନିନ୍ମୟାନନ୍ଦଙ୍କୁ ଗିରଫ ପରେ ତାଙ୍କୁ ଏସ୍‌ଆଇଟି ଜେରା କରୁଛି । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଜେଲ୍‌ ହସ୍ପିଟାଲ୍‌ରେ ଚିନ୍ମୟାନନ୍ଦ ରହିବେ ବୋଲି ଜଣାପଡ଼ିଛି। ତେବେ ଜେରା ସମୟରେ ସ୍ବାମୀ ଚିନ୍ମୟାନନ୍ଦ ସ୍ବୀକାର କରିଛନ୍ତି ଯେ ସେ ଆଇନ ଛାତ୍ରୀଙ୍କ ସହ ୨୦୦ରୁ ଅଧିକ ଥର କଥା ହୋଇଛନ୍ତି। ଚିନ୍ମୟାନନ୍ଦଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ତଥା ଅଶ୍ଳୀଳ କଥାବାର୍ତ୍ତା ଏବଂ ବଡି ମସାଜ୍‌ ଭଳି ଅଭିଯୋଗକୁ ସେ ସ୍ବୀକାର କରିଛନ୍ତି। ଚିନ୍ମୟାନନ୍ଦ ଏଭଳି କାମ ପାଇଁ ଖୁବ୍‌ ଲଜ୍ଜିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। କିନ୍ତୁ ଚିନ୍ମୟାନନ୍ଦ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ସ୍ବୀକାର କରିନାହାନ୍ତି। ଏସ୍‌ଆ‌ଇଟି ମୁଖ୍ୟ ନବୀନ ଆରୋରା କହିଛନ୍ତି , ଜାନୁଆରି ୧ରୁ ଚିନ୍ମୟାନନ୍ଦ ଏବଂ ଆଇନ ଛାତ୍ରୀ ୨୦୦ରୁ ଅଧିକ ଥର କଥା ହୋଇଛନ୍ତି। ଚିନ୍ମୟାନନ୍ଦଙ୍କ ଫୋନ୍‌ ଫରେନ୍ସିକ୍‌ ସାଇନ୍ସ ଲାବ୍ରୋଟୋରିକୁ ପଠାଯାଇଛି।

ସମ୍ବନ୍ଧିତ ଖବର