ନାବାଳିକାକୁ ୭ ମାସ ଧରି ଗଣଦୁଷ୍କର୍ମ

ବିହାରରେ ଅମାନବୀୟ କାଣ୍ଡ

ଛାପ୍ରା/ନୂଆଦିଲ୍ଲୀ: ବିହାରରେ ଜଣେ ୧୩ ବର୍ଷୀୟା ନାବାଳିକାକୁ ୭ ମାସ ଧରି ଗଣଦୁଷ୍କର୍ମ କରାଯାଇଛି। ନାବାଳିକା ଜଣକ ପଢୁଥିବା ବିଦ୍ୟାଳୟର ୧୫ ଜଣ ଛାତ୍ର ଓ ୩ ଜଣ ଶିକ୍ଷକ ଏଭଳି କାଣ୍ଡ ଘଟାଇଛନ୍ତି। ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଏଯାବତ୍‌ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ନବମ ଶ୍ରେଣୀରେ ପଢୁଥିବା ଏହି ନାବାଳିକାର ପିତା କୌଣସି ଏକ ମାମଲାରେ ଦଣ୍ଡିତ ହୋଇ ୨୦୧୭ ଡିସେମ୍ବରରେ ଜେଲ ଯାଇଥିଲେ। ଏହାର ସୁଯୋଗ ନେଇ ତାଙ୍କ ସାଙ୍ଗରେ ପଢୁଥିବା ଜଣେ ଛାତ୍ର ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହାପରେ ସେ ବ୍ଲାକ୍‌ମେଲିଂ ଆରମ୍ଭ କରିଥିଲା। ଭୟରେ ପୀଡ଼ିତା ଜଣକ କୌଣସି ଆପତ୍ତି ନ ଉଠାଇବାରୁ ଏହାର ସୁଯୋଗରେ ଆଉ ୪ରୁ ୫ ଜଣ ଛାତ୍ର ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ପରେ ବିଦ୍ୟାଳୟର ଅଧ୍ୟକ୍ଷ ଓ ଦୁଇଜଣ ଶିକ୍ଷକ ମଧ୍ୟ ସେମାନଙ୍କ ସହ ସାମିଲ ହୋଇ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏତିକିରେ ନାବାଳିକା ଜଣକ ଉପରେ ନିର୍ଯାତନା ଶେଷ ହୋଇ ନ ଥିଲା। ଏହାର କିଛିଦିନ ପରେ ସେଇ ବିଦ୍ୟାଳୟର ଆଉ ୯ରୁ ୧୦ ଜଣ ଛାତ୍ର ନାବାଳିକାକୁ ଧମକାଇ ଦୁଷ୍କର୍ମ କରିଥିଲେ। ଲଗାତର ୭ ମାସ ଧରି ବିଦ୍ୟାଳୟ ପରିସରରେ ଏଭଳି ଅକଥନୀୟ ଅତ୍ୟାଚାରର ଶିକାର ହୋଇଥିଲେ ଛାତ୍ରୀ ଜଣକ। ତେବେ ତାଙ୍କ ପିତା ଜେଲରୁ ମୁକୁଳିବା କ୍ଷଣି ସେ ଛାପ୍ରାର ଏକ୍‌ମା ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି। ପୀଡ଼ିତା ଜଣକ ନିଜ ଅଭିଯୋଗରେ ସମସ୍ତ ୧୮ ଜଣ ଦୁଷ୍କର୍ମକାରୀଙ୍କ ନାମ ଏବଂ କେଉଁ କେଉଁ ସ୍ଥାନରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା ସେ ନେଇ ଜଣାଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ଦାଏର କରି ବିଦ୍ୟାଳୟର ଅଧ୍ୟକ୍ଷ, ଜଣେ ଶିକ୍ଷକ ଓ ଦୁଇଜଣ ଛାତ୍ରଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ଉ ପ୍ରକ୍ରିୟା ଜାରି ରହିଛି। ଅପରପକ୍ଷରେ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ  ପଠାଯାଇଛି। ଏ ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ଅଧିକାରୀ ଅଜୟ କୁମାର ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର