କେରଳରେ ଆଲୋଡ଼ନ, ନାବାଳିକାଙ୍କୁ ୨ ବର୍ଷ ଧରି ଗଣଦୁଷ୍କର୍ମ ପିତା ସମେତ ୩ ଗିରଫ

ମଲପ୍ପୁରମ୍‌ : କେରଳର ମଲପ୍ପୁରମ୍‌ ଜିଲ୍ଲାରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ଏବେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ୧୨ ବର୍ଷୀୟା ନାବାଳିକା ଲଗାତାର ୨ ବର୍ଷ ଧରି ପ୍ରାୟ ୩୦ରୁ ଅଧିକ ବ୍ୟକ୍ତିଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଆସିଛନ୍ତି। ସବୁଠୁ ପରିତାପର କଥା ହେଉଛି ଯେ ନାବାଳିକା ତାଙ୍କ ବାପା ମା’ଙ୍କ ଜାଣତରେ ଦୁଷ୍କର୍ମର ଶିକାର ହୋଇଥିଲେ। ସବୁକିଛି ଜାଣି ବି ପୀଡ଼ିତା ଜଣଙ୍କ ନିଜ ପ୍ରତି ‌ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରକୁ ମଥାପାତି ସହି ନେଇଥିଲେ। କାରଣ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଖୁବ୍‌ ଶୋଚନୀୟ ଥିଲା । ପରିବାର ଚଳାଇବାପାଇଁ ପୀଡ଼ିତାଙ୍କୁ ତାଙ୍କ ପରିବାର ଲୋକଙ୍କ କଥାରେ ଅତ୍ୟାଚାର ସହିବାକୁ ପଡ଼ୁଥିଲା। କିଛି ଟଙ୍କା ପାଇଁ ନାବାଳିକାକୁ ନର୍କକୁ ଠେଲି ଦେଇଥିଲେ ବାପା-ମା’। ଏସବୁ କଥା ଜଣାପଡ଼ିବା ପରେ ପୀଡ଼ିତା ନାବାଳିକାଙ୍କ ସୁରକ୍ଷା ପାଇଁ ତାଙ୍କୁ ଏକ ସରକାରୀ ଆଶ୍ରୟସ୍ଥଳକୁ ନିଆଯାଇଛି। ପୀଡ଼ିତା ସରକାରୀ ଆଶ୍ରୟସ୍ଥଳକୁ ଯିବା ପୂର୍ବରୁ ତାଙ୍କ ଘରର କବାଟରେ ତାଙ୍କ ମା’ଙ୍କ ପାଇଁ ଲେଖିଥିବା ଦୁଇ ପଦ ସମସ୍ତଙ୍କ ଆଖିରେ ଲୁହ ସୃଷ୍ଟି କରିଛି। ପୀଡ଼ିତା ଘରର କବାଟରେ ଲେଖିଛନ୍ତି ‘ସରି ଆମ୍ମା’ । ଏହି ମାମଲାରେ ଏବେ ପୁଲିସ ପୀଡ଼ିତାଙ୍କ ବାପାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଦୁଇଜଣ ବ୍ୟକ୍ତିଙ୍କୁ ଆଇପିସିର ଧାରା ୩୫୪ ଏବଂ ୩୭୬ ଓ ପୋକ୍ସ ଆଇନ ଅଧୀନରେ ଗିରଫ କରାଯାଇଥିବା ବେଳେ ପୀଡ଼ିତାଙ୍କ ବାପାଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ ଅଧୀନରେ ଗିରଫ କରାଯାଇଥିଲା।

ସୂଚନାନୁଯାୟୀ, ପୀଡ଼ିତାଙ୍କୁ ୧୦ ବର୍ଷ ହୋଇଥିବାବେଳେ ସେ ପ୍ରଥମେ ତାଙ୍କ ବାପାଙ୍କ ଜଣେ ବନ୍ଧୁଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଲଗାତାର ୨ ବର୍ଷ ଧରି ୩୦ରୁ ଅଧିକ ଲୋକ ଦୁଷ୍କର୍ମ କରିଛନ୍ତି। ଏଥିପାଇଁ ତାଙ୍କ ପରିବାରକୁ ଜଣେ ମଧ୍ୟସ୍ଥିଙ୍କ ଦ୍ବାରା ଟଙ୍କା ମିଳୁଥିଲା। ତେବେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଏହି ପୀଡ଼ିତା ଏକ କାଉନ୍‌‌ସେଲିଂ ସେସନ୍‌କୁ ଯିବାପରେ ହିଁ ଏଭଳି ଘଟଣାର ପର୍ଦ୍ଦାଫାସ ହୋଇଛି। ପୀଡ଼ିତାଙ୍କ ସ୍ବାସ୍ଥ୍ୟ ଦିନକୁ ଦିନ ଅତି ଖରାପ୍‌ ହୋଇଯିବାରୁ ଏବଂ ସେ ବାରମ୍ବାର ସ୍କୁଲ୍‌ ବନ୍ଦ କରିବାରୁ ତାଙ୍କର ଜଣେ ପଡ଼ୋଶୀ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ କାଉନ୍‌ସେଲିଂ ସେସନ୍‌ ପଠାଯାଇଥିଲା। ପୀଡ଼ିତାଙ୍କ ଛାତିଛରା କଥା ଶୁଣି କ‌ାଉନସେଲର ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ପୀଡ଼ିତାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ ଘରେ କ’ଣ ଚାଲିଛି, ସେ ସମୟରେ ସେ ଖୁବ୍‌ଜୋର କାନ୍ଦିଥିଲେ। ତେବେ ନିଜପ୍ରତି ହୋଇଥିବା ଅନ୍ୟାୟ ପାଇଁ ସେ କାନ୍ଦିନଥିଲେ ବରଂ ପରିବାର ଚଳାଇବାପାଇଁ ସେ ଆଉ କିଛି ସାହାଯ୍ୟ କରିପାରିବେ ନାହିଁ ବୋଲି କାନ୍ଦିଥିଲେ। ପୀଡ଼ିତା ଜଣଙ୍କ ଏଭଳି ସ୍ଥିତିରେ ଅଛନ୍ତି ଯେ ତାଙ୍କପ୍ରତି ହୋଇଥିବା ଅନ୍ୟାୟକୁ ସେ ଜାଣିପାରିନାହାନ୍ତି। ବରଂ ସେ ନିଜକୁ ଦୋଷୀ ମନେ କରିଛନ୍ତି। ପୀଡ଼ିତା କହିଛନ୍ତି, ତାଙ୍କ ଘରେ ଟଙ୍କାର ଖୁବ୍‌ ଆବଶ୍ୟକତା ରହିଛି। ତାଙ୍କ ବାପା ହାଜତକୁ ଚାଲିଗଲେ ପରିବାର ଚଳିବା ଖୁବ୍‌ କଷ୍ଟକର ହୋଇଯିବ। ଏପରିକି ତାଙ୍କ ପରିବାର ଲୋକ ଘରଭଡ଼ା ମଧ୍ୟ ଦେଇପାରିବେ ନାହିଁ ବୋଲି ସେ କାଉନ୍‌ସେଲରଙ୍କୁ କହିଛନ୍ତି। ଅନ୍ୟପକ୍ଷେ ପୀଡ଼ିତାଙ୍କ ପରିବାର ସଦସ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପୀଡ଼ିତାଙ୍କ ମା’ କହିଛନ୍ତି ଏହା ତାଙ୍କ ପରିବାର ବିରୋଧରେ ଏକ ଷଡ଼ଯନ୍ତ୍ର। ତାଙ୍କ ଝିଅଙ୍କୁ ଫେରାଇ ଦେବାପାଇଁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ମେଡିକାଲ ରି‌ପୋର୍ଟରୁ ଜଣାପଡ଼ିଛି ଯେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର