ନୂଆଦିଲ୍ଲୀ: ଆତ୍ମଘୋଷିତ ଅଧ୍ୟାତ୍ମିକ ନେତା ତଥା ଦୁଷ୍କର୍ମ ଅଭିଯୁକ୍ତ ନିତ୍ୟାନନ୍ଦ ଶ୍ରୀଲଙ୍କାରେ ରାଜନୈତିକ ଆଶ୍ରୟ ଲୋଡୁଥିବା କଥା ଶୁଣାଯାଉଛି। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟୁଥିବା ଦର୍ଶାଇ ପଳାତକ ବାବା ଅଗଷ୍ଟ ୭ ତାରିଖ ଦିନ ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କୁ ପତ୍ର ଲେଖିବା ସହ ଜରୁରୀ ଡାକ୍ତରୀ ଚିକିତ୍ସା ଆବଶ୍ୟକ ବୋଲି ଉକ୍ତ ଚିଠିକୁ ‘ଚିହ୍ନିତ’ (ଫ୍ଲାଗ୍ଡ୍) କରିଛନ୍ତି।
ସାର୍ବଭୌମ ରାଜ୍ୟ ‘ଶ୍ରୀକୈଳାସ’ରେ ଡାକ୍ତରୀ ଭିତ୍ତିଭୂମିର ଅଭାବ କଥା ମଧ୍ୟ ସେ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ‘ଶ୍ରୀକୈଳାସ’ ହେଉଛି ନିତ୍ୟାନନ୍ଦଙ୍କଦ୍ବାରା ପ୍ରତିଷ୍ଠିତ ଓ ନାମିତ ଗୋଟାଏ ଦ୍ବୀପ।
ଶ୍ରୀଲଙ୍କା ସରକାରଙ୍କର ଏକ ଶୀର୍ଷସ୍ତରୀୟସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସାଂଘାତିକ ଅସୁସ୍ଥ ଦୁଷ୍କର୍ମ ଅଭିଯୁକ୍ତ ନିତ୍ୟାନନ୍ଦଙ୍କର ଡାକ୍ତରୀ ଚିକିତ୍ସା ଅପରିହାର୍ଯ୍ୟ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ ଅଛି। ଏଥିପାଇଁ ସେ ଶ୍ରୀଲଙ୍କାଠାରୁ ଡାକ୍ତରୀ ତଥା ରାଜନୈତିକ ଆଶ୍ରୟ ଲୋଡୁଛନ୍ତି।
/sambad/media/post_attachments/wp-content/uploads/2022/09/nithyananda1.jpg)
ଏହି ପତ୍ରଟିକୁ ଲେଖିଛନ୍ତି ‘ଶ୍ରୀକୈଳାସ’ର ବୈଦେଶିକ ବ୍ୟାପାର ମନ୍ତ୍ରୀ ବୋଲାଉଥିବା ନିତ୍ୟପ୍ରେମାତ୍ମା ଆନନ୍ଦ ସ୍ବାମୀ।
ସ୍ମରଣଯୋଗ୍ୟ, ଅପହରଣ ଅଭିଯୋଗରେ ନିତ୍ୟାନନ୍ଦଙ୍କର ଦୁଇଜଣ ଶିଷ୍ୟଙ୍କୁ ଗୁଜରାଟ ପୁଲିସ ଗିରଫ କରିବା ପରେ ସେ ୨୦୧୮ ନଭେମ୍ବରରୁ ଭାରତରୁ ଖସି ପଳାଇଯାଇଛନ୍ତି। କର୍ଣ୍ଣାଟକରେ ନିତ୍ୟାନନ୍ଦଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ପଞ୍ଜିକୃତ ହେବାରୁ ସେ ଖସି ପଳାଇଥିବା କଥା କୁହାଯାଉଛି।
ଏହାପୂର୍ବରୁ ୨୦୧୦ରେ ନିତ୍ୟାନନ୍ଦଙ୍କ ପୂର୍ବତନ ଡ୍ରାଇଭର୍ ଲେନିନ୍ଙ୍କ ଅଭିଯୋଗକୁ ଆଧାର କରି ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଫାଇଲ୍ କରାଯାଇଥିଲା। କିନ୍ତୁ, ତାଙ୍କୁ ଗିରଫ କରାଯାଇ ଜାମିନରେ ଛାଡ଼ି ଦିଆଯାଇଥିଲା।
ନିତ୍ୟାନନ୍ଦ ହେଉଛନ୍ତି ତାମିଲନାଡୁ ବାସିନ୍ଦା ଏବଂ ତାଙ୍କର ପ୍ରକୃତ ନାଁ ରାଜଶେଖରନ୍ ବୋଲି କୁହାଯାଉଛି।