ଇଟାନଗର: ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ବିରୋଧରେ ଜନୈକା ମହିଳା ଏକ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଏବେ ଏହାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଗତ ଫେବ୍ରୁଆରି ୧୫ ତାରିଖରେ ପୀଡ଼ିତା ମହିଳା ଜଣକ ତାଙ୍କ ସହ ଘଟି ଯାଇଥିବା ଏହି ଅଘଟଣ ସଂପର୍କରେ ଜାତୀୟ ମହିଳା କମିସନଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମହିଳା ଜଣକ ୨୦୦୮ ଜୁଲାଇରେ ପେମା ଖାଣ୍ଡୁ ଓ ତାଙ୍କର ଦୁଇ ବନ୍ଧୁଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଦୁଷ୍କର୍ମ ଘଟଣା ସଂପର୍କରେ ମହିଳା ଜଣକ ବିଳମ୍ବରେ, ୨୦୧୫ ଡିସେମ୍ବର ମାସରେ ଇଟାନଗର ପୋଲିସ୍‌ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଇଟାନଗର ପୋଲିସ୍‌ ମଧ୍ୟ ଏହି ଘଟଣାର ପ୍ରଥମିକ ତଦନ୍ତ ଆରମ୍ଭ କରିଥିଲା। ତେବେ, ଏହାର କିଛିମାସ ପରେ ପେମା ଖାଣ୍ଡୁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିବାରୁ ଏହି ଘଟଣାର ପୋଲିସ ତଦନ୍ତ ଅଧାରୁ ବନ୍ଦ ହୋଇଗଲା।

publive-image www.dnaindia.com

ପରେ, ଏହି ଘଟଣାରେ ହତୋତ୍ସାହିତ ହୋଇ ପୀଡ଼ିତା ମହିଳା ଜଣକ ଅରୁଣାଚଳ ପ୍ରଦେଶର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଏକ ‘କମ୍ପଲାଣ୍ଟ କେସ୍‌’ ଆଗତ କରିଥିଲେ। କିନ୍ତୁ, ଅଦାଲତ ଏହି ‘କମ୍ପଲାଣ୍ଟ କେସ୍‌’କୁ ବିଚାର ପାଇଁ ଗ୍ରହଣ ନକରି ଖାରଜ କରି ଦେଇଥିଲେ। ଶେଷରେ ସବୁଆଡ଼ୁ ନିରାଶ ହେବାପରେ ପୀଡ଼ିତା ଜଣଙ୍କ ନ୍ୟାୟ ପାଇବା ଆଶାରେ ଜାତୀୟ ମହିଳା କମିସନଙ୍କ ଦ୍ୱାରସ୍ଥ ହେବା ସହ କମିସନଙ୍କ ନିକଟରେ ଘଟଣା ସଂପର୍କରେ ଅଭିଯୋଗ କରିଛନ୍ତି।

ଅତ୍ୟନ୍ତ ଆବେଗପୂର୍ଣ୍ଣ ଭାବେ ସେ ଜାତୀୟ ମହିଳା କମିସନଙ୍କୁ କହିଛନ୍ତି, ‘ଦୟାକରି ମୋତେ ନ୍ୟାୟ ପ୍ରଦାନ କରନ୍ତୁ; ନହେଲେ ଅନ୍ୟ କୌଣସି ଦୁଷ୍କର୍ମ ପୀଡ଼ିତାକୁ କେହି ବିଶ୍ୱାସ କରିବେ ନାହିଁ; କିମ୍ବା ସେ ନ୍ୟାୟ ପାଇବ ନାହିଁ।’ ତେବେ, ବର୍ତ୍ତମାନ ସୁଦ୍ଧା ଜାତୀୟ ମହିଳା କମିସନ ପୀଡ଼ିତାଙ୍କ ଅଭିଯୋଗ ଉପରେ କୌଣସି ପ୍ରକାରର ତଦନ୍ତ ଆରମ୍ଭ କରି ନାହାନ୍ତି। ଏ ସଂପର୍କରେ ଜାତୀୟ ମହିଳା କମିସନର ଅନ୍ୟତମ ବରିଷ୍ଠ ସଦସ୍ୟା ରେଖା ଶର୍ମା କହିଛନ୍ତି ଯେ ଆମେ ପୀଡ଼ିତାଙ୍କ ଅଭିଯୋଗ ପାଇଛୁ। ଯେହେତୁ, ପୂର୍ବରୁ ଏକ ଅଦାଲତ ପୀଡ଼ିତାଙ୍କ ଅଭିଯୋଗକୁ ଖାରଜ କରିଛନ୍ତି, ସେଥିପାଇଁ ଆମେ ଏହାର ତଦନ୍ତ ଆରମ୍ଭ କରିବା ପୂର୍ବରୁ ସେ ସଂପର୍କରେ ନ୍ୟାୟିକ ପରାମର୍ଶ ଲୋଡ଼ିଛୁ। ନ୍ୟାୟିକ ପରାମର୍ଶ ମିଳିବା ପରେ ଆମେ ପୀଡ଼ିତା ମହିଳାଙ୍କ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରିବୁ। ଅନ୍ୟ ପକ୍ଷରେ ଏହି ମାମଲାରେ ପୀଡ଼ିତାଙ୍କ ସହଯୋଗ ପାଇଁ ଆଗେଇ ଆସିଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଜନୈକା ଆଇନଜୀବି କହିଛନ୍ତି ଯେ ଯଦି ଏ ମାମଲାରେ ଆମକୁ ଜାତୀୟ ମହିଳା କମିସନଙ୍କ ପକ୍ଷରୁ କୌଣସି ନ୍ୟାୟ ନମିଳେ ତେବେ ଆମେ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେବୁ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ତାଙ୍କ ବିରୋଧରେ ଆଗତ ଦୁଷ୍କର୍ମ ଅଭିଯୋଗକୁ ସଂପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋାଦିତ ବୋଲି କହିଛନ୍ତି। ଲୋକ ଚକ୍ଷୁରେ ତାଙ୍କୁ ନିନ୍ଦିତ କରିବା ପାଇଁ ଏହା ଏକ ହୀନ ରାଜନୈତିକ ଚକ୍ରାନ୍ତ ବୋଲି ନିଜ ସଫେଇରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଖାଣ୍ଡୁ।