ଆଇସିୟୁରେ ଭର୍ତ୍ତି ଯୁବତୀଙ୍କୁ ଦୁଷ୍କର୍ମ କଲେ ମେଡିକାଲ କର୍ମଚାରୀ!

ଗୁରୁଗ୍ରାମ: ମେଡିକାଲରେ ଚିକିତ୍ସାଧୀନ ଯୁବତୀଙ୍କୁ ଦୁଷ୍କର୍ମ କଲେ ମେଡିକାଲ କର୍ମଚାରୀ | ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବାର ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଯକ୍ଷ୍ମା ରୋଗରେ ପୀଡିତ ଯୁବତୀଙ୍କୁ ସେକ୍ଟର ୪୪ ରେ ଥିବା ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ ସେ ଅଚେତ ଅବସ୍ଥାରେ ଥିଲେ ସେତେବେଳେ ତାଙ୍କୁ ଡାକ୍ତରଖାନାର ଜଣେ ଠିକା କର୍ମଚାରୀ ଦୁଷ୍କର୍ମ କରିଥିଲେ।

ମଙ୍ଗଳବାର ଦିନ ଯୁବତୀ ଜଣକ ଚେତାକୁ ଆସିବା ପରେ ସେ ତାଙ୍କ ବାପାଙ୍କୁ ଏହି ଘଟଣା ବିଷୟରେ କହିଥିଲେ। ପୁଲିସର ସୂଚନାନୁସାରେ, ହରିୟାଣାର ମହେନ୍ଦ୍ରଗଡରୁ ଆସିଥିବା ଜଣେ ୨୧ ବର୍ଷର ବାଳିକା ଗତ ସପ୍ତାହରେ ଗୁରୁଗାଓଁର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଥିବାବେଳେ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ଆଣିଥିଲେ । ଅକ୍ଟୋବର ୨୧ ରେ ଯେତେବେଳେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ଡାକ୍ତରଖାନାକୁ ଅଣାଯିବାବେଳେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ପୁଲିସ କହିଛି ଯେ ଅଭିଯୁକ୍ତଙ୍କ ବିରୋଧରେ ବର୍ତ୍ତମାନ ମାମଲା ରୁଜୁ କରାଯାଇଛି ଓ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ଅଭିଯୁକ୍ତଙ୍କ ନାମ ବିକାଶ ବୋଲି ଦର୍ଶାଯାଇଛି। ସେ ଜଣେ ଠିକା କର୍ମଚାରୀ ହୋଇଥିବାବେଳେ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇପାରିନାହିଁ। ପୁଲିସ ଡାକ୍ତରଖାନାର ସିସିଟିଭି ଫୁଟେଜ ଜବତ କରି ଅଧିକ ଅନୁସନ୍ଧାନ କରୁଛି |

ସମ୍ବନ୍ଧିତ ଖବର