ବେଟି ବଚାଓ ବେଟି ପଢାଓ ଅଭିଯାନକୁ ନେଇ ମୋଦି ସରକାର ଡିଣ୍ଡିମ ପିଟୁଥିବା ବେଳେ ବିଜେପି ଶାସିତ ରାଜ୍ୟରେ ଘଟିଚାଲିଛି ଗଣଦୁଷ୍କର୍ମ!

ନୂଆଦିଲ୍ଲୀ : ଗୋଟିଏ ପଟେ ମୋଦି ସରକାରଙ୍କ ‘ବେଟି ବଚାଓ ବେଟି ପଢାଓ’ ଅଭିଯାନକୁ ନେଇ ବିଜେପି ମନ୍ତ୍ରୀ ବାହାବା ନେଉଥିବା ବେଳେ ଅନ୍ୟପଟେ ବିଜେପିର ନେତାମାନେ ହିଁ ଯୁବତୀଙ୍କ ଇଜ୍ଜତ ସହ ଖେଳିବା ଆରମ୍ଭ କରିଛନ୍ତି। ଆଉ ଏହାର ଝଲକ ଉତ୍ତର ପ୍ରଦେଶର ଉନ୍ନାଓ ଓ ଜମ୍ମୁ-କାଶ୍ମୀରର କଠୁଆରେ ଦେଖିବାକୁ ମିଳିଛି। ୨ଟି ବଳାତ୍କାରର ଲୋମଟାଙ୍କୁରା ବାସ୍ତବତା ଏବେ ସାମ୍ନାକୁ ଆସିଛି।

ଉତ୍ତରପ୍ରଦେଶର ଉନ୍ନାଓରେ ନାବାଳିକା ଯୁବତୀକୁ ବିଜେପି ବିଧାୟକ କୁଳଦୀପ ସିଂହ ସେନଗର ଓ ତାଙ୍କ ଭାଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ଏହାକୁ ନେଇ ଏବେ ଜୋର ଧରିଛି ରାଜନୀତି। ସେହିଭଳି ଜମ୍ମୁ କଶ୍ମୀରର ୮ ବର୍ଷର କଅଁଳ ଶିଶୁ ଆସିଫାଙ୍କ ମୃତ୍ୟୁକୁ ନେଇ ମଧ୍ୟ ଏବେ ପୂରା ଦେଶରେ ବିରୋଧ ଆରମ୍ଭ ହୋଇଛି । ଜୀବନକୁ ବୁଝିବା ଆଗରୁ ଚାଲିଯାଇଛି କଅଁଳ ଶିଶୁ ଆସିଫାର ଜୀବନ। ୮ ବର୍ଷର ଆସିଫାକୁ ଛାଡିନଥିଲେ ରାକ୍ଷସ ରୂପି ମଣିଷ। ପ୍ରଥମେ ଅପହରଣ ପରେ ନିଶା ଔଷଧ ଦେଇ ଗଣଦୁଷ୍କର୍ମ ତାହା ପୁଣି ମନ୍ଦିର ପରିସରରେ। ଏତିକିରେ ମଧ୍ୟ ମନ ବୁଝି ନଥିଲା ଦେହପିପାସୁ ରାକ୍ଷସଙ୍କର। ଦୀର୍ଘ ଦିନ ଧରି ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିବାକୁ ମଧ୍ୟ ପଛାଇ ନଥିଲେ।

ଏଭଳି ଦୁଇଟି ସ୍ପର୍ଶକାତର ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଉଭୟ ଉତ୍ତର ପ୍ରଦେଶ ଓ ଜମ୍ମୁ-କଶ୍ମୀରରେ ବିଜେପି ସରକାର ଥିବା ବେଳେ ହିଁ ଏଭଳି ଘଟଣା ଦେଖିବାକୁ ମିଳିଛି। ଗୋଟିଏ ପଟେ ବେଟି ବଚାଓ ବେଟି ପଢାଓ ଅଭିଯାନକୁ ନେଇ ମୋଦି ସରକାର ଡିଣ୍ଡିମ ପିଟୁଛନ୍ତି ଆଉ ଅନ୍ୟପଟେ ବିଜେପି ଶାସିତ ରାଜ୍ୟରେ ହିଁ ଉନ୍ନାଓ ଓ କଠୁଆ ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଆଉ ସବୁଠୁ ବଡ କଥା ହେଲା ଏଭଳି ଘଟଣାରେ ଚୁପ ବସିଛନ୍ତି ନିଜକୁ ଦେଶର ଚୌକିଦାର କହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ମୋଦି ନୁହେଁ ଦଳର ଅନ୍ୟ ବରିଷ୍ଠ ନେତା ସୁଷମା ସ୍ୱରାଜ, ସ୍ମୃତି ଇରାନୀ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଏହି ଦୁଇ ଘଟଣାରେ ଚୁପ ରହିଛନ୍ତି।

ପ୍ରତି ଘଟଣାରେ ସୋସିଆଲ ମିଡିଆରେ ଟ୍ଵିଟ୍‌ କରି ବିରୋଧୀଙ୍କୁ ଟାର୍ଗେଟ କରୁଥିବା ବିଜେପି ନେତାମାନେ ଏବେ ଏହି ଉନ୍ନାଓ ଓ କଠୁଆ ଘଟଣାରେ ସମ୍ପୂର୍ଣ୍ଣ ଚୁପ୍‌। ହେଲେ କାହିଁକି? ବିଜେପି ଶାସିତ ରାଜ୍ୟର ବିକାଶ ନକ୍ସାକୁ ନେଇ ପୂରା ଦେଶ ସାମ୍ନାରେ ରଖୁଥିବା ବିଜେପି ନେତା ଆଜି ସେହି ବିଜେପି ଶାସିତ ରାଜ୍ୟରେ ହୋଇଥିବା ସମ୍ବେଦନଶୀଳ ଘଟଣାରେ ନିରବ କାହିିଁକି । କାରଣ ଏହି ଘଟଣାରେ ଏବେ ବିଜେପି ନେତାଙ୍କ ଲିଙ୍କ୍‌ ସାମ୍ନାକୁ ଆସିଛି ।

ମହିଳାଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ଯୋଜନାରେ ବାହାବା ନେଉଥିବା ମୋଦି ସରକାର ବାସ୍ତବରେ ମହିଳାଙ୍କ ସୁରକ୍ଷାକୁ ନେଇ କେତେ ଯତ୍ନବାନ ତାହା ଉନ୍ନାଓ ଓ କଠୁଆ ଘଟଣାରେ ଦେଖିବାକୁ ମିଳିଛି। ମହିଳାଙ୍କ ସୁରକ୍ଷା ପାଇଁ ଉତ୍ତର ପ୍ରଦେଶରେ ଯୋଗୀ ସରକାର ଆଣ୍ଟି ରୋମିଓ ସ୍ୱାର୍ଡ ଗଠନ କରି ଏକ ନୂଆ ଇତିହାସ ରଚିଥିଲେ। କିନ୍ତୁ ଯେତେବେଳେ ବିଜେପି ବିଧାୟକଙ୍କ ନାଁରେ ଗଣଦୁଷ୍କର୍ମ ଭଳି ଅଭିଯୋଗ ଆସିଛି ସେତେବେଳେ ଯୋଗୀ ଚୁପ ରହିବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି। ପୂର୍ବଭଳି ଯୋଗୀଙ୍କ ତେଭର ଦେଖିବାକୁ ମିଳିନାହିଁ। କେବଳ ବିଜେପି ନେତା ନୁହେଁ ବରଂ ପୋଲିସ ପ୍ରଶାସନ ମଧ୍ୟ ଦୁଷ୍କର୍ମ ପୀଡିତାଙ୍କ ପାଇଁ ମଧ୍ୟ ଆଖି ଓ କାନ ବନ୍ଦ କରି ଦେଇଛି। ବିଜେପି ବିଧାୟକଙ୍କୁ ଗିରଫ କରିବା ତ ଦୂରର କଥା ବରଂ ଜେଲ ହାଜତରେ ଉନ୍ନାଓ ପୀଡିତାଙ୍କ ବାପାଙ୍କ ମୃତ୍ୟୁ ଏବେ ଯୋଗୀ ସରକାରକୁ କାଠଗଡାରେ ଛିଡା କରିଛି।

ତେବେ ଏସବୁ ଭିତରେ ପ୍ରଶ୍ନ ଉଠୁଛି କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ନବୀନ ସରକାର ଉପରେ ଦୋଷ ଲଦିଥିବା ବିଜେପି ଏବେ ଉନ୍ନାଓ ଓ କଠୁଆ ଘଟଣାରେ ଚୁପ୍‌ କାହିଁକି । କୁନ୍ଦୁଲି ଘଟଣାର ତଦନ୍ତ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏକ ଟିମ୍‌ ଗଠନ କରିବା ସହ ନବୀନ ସରକାରକୁ ଏଥିପାଇଁ ଦାୟୀ କରିଥିଲେ। କିନ୍ତୁ ଉନ୍ନାଓ ଓ କଠୁଆ ଭଳି ସ୍ପର୍ଶକାତର ଘଟଣାରେ ଅମିତ ହାତ ବାନ୍ଧି ବସିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁନାହିଁ କି ? ସେମାନଙ୍କର ସୁରକ୍ଷା ଦାୟିତ୍ୱ କଣ ନିଜକୁ ଦେଶର ଚୌକିଦାର କହୁଥିବା ମୋଦିଙ୍କର ନଥିଲା କି? ତେବେ ଉନ୍ନାଓ ଓ କଠୁଆ ଘଟଣା ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ବେଟି ବଚାଓ ବେଟି ପଢାଓ ଅଭିଯାନ କେବଳ କଥାରେ ରହି ଯାଇଥିବା ଭଳି ମନେ ହେଉଛି। ଗୋଟିଏ ପଟେ ରାମରାଜ୍ୟର ସ୍ୱପ୍ନ ଦେଖାଯାଉଛି ଆଉ ଅନ୍ୟପଟେ ମହିଳାଙ୍କ ଇଜ୍ଜତ ସହ ଖେଳାଯାଉଛି ସାଂଘାତିକ ଖେଳ। କିନ୍ତୁ ଏସବୁ ପରେ ମଧ୍ୟ ଦେଶର ଚୌକିଦାର ଚୁପ।

ସମ୍ବନ୍ଧିତ ଖବର