ବିହାରର ବକ୍ସରରେ ବର୍ବର କାଣ୍ଡ: ମହିଳାଙ୍କୁ ଦୁଷ୍କର୍ମ, ପୁଅ ସହିତ ବାନ୍ଧି ନଦୀକୁ ଫିଙ୍ଗିଲେ

ପୁଅର ମୃତ୍ୟୁ

ବକ୍ସର: ବିହାରର ବକ୍ସରରେ ଜଣେ ମହିଳା ନିଜର ୫ ବର୍ଷର ପୁଅ ସହିତ ବ୍ୟାଙ୍କ୍‌କୁ ଯାଉଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦୁଷ୍କର୍ମକାରୀମାନେ ମହିଳାଙ୍କୁ ତାଙ୍କ ପୁଅ ସହିତ ବାନ୍ଧି ନଦୀକୁ ଫିଙ୍ଗି ଦେଇଥିଲେ। ଏଥିରେ ଶିଶୁଟିର ମୃତ୍ୟୁ ଘଟିଛି। ମହିଳାଙ୍କ ଅଭିଯୋଗ ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏବଂ ମାମଲାର ତଦନ୍ତ ଆରମ୍ଭ କରିଛି। ଏହି ବର୍ବର କାଣ୍ଡ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।

ମୁରାର ଥାନା ଅନ୍ତର୍ଗର ଓଝା ବରାବ୍‌ ଗ୍ରାମରେ ଗତକାଲି ବ୍ୟାଙ୍କ ଯାଉଥିବା ମହିଳାଙ୍କୁ ତାଙ୍କ ଶିଶୁପୁତ୍ରଙ୍କ ସହିତ ଅପହରଣ କରି ନିଆଯାଇଥିଲା ଏବଂ ଗଣଦୁଷ୍କର୍ମ ପରେ ମା’-ପୁଅକୁ ବାନ୍ଧି ନରପିଶାଚମାନେ ନଦୀକୁ ଫିଙ୍ଗି ଦେଇଥିଲେ। ମହିଳାଙ୍କ ଜୀବନ କୌଣସିମତେ ରକ୍ଷା ପାଇଯାଇଥିବା ବେଳେ ଶିଶୁଟିର ଜୀବନ ଚାଲିଯାଇଛି। ମହିଳାଙ୍କ ଚିତ୍କାର ଶୁଣି କିଛି ଲୋକ ତାଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ।। ଏହି ଘଟଣା ସଂପର୍କରେ ସବୁକଥା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଲୋକେ ଦାବି କରିଛନ୍ତି। ବକ୍ସର ସଦର ହସ୍ପିଟାଲରେ ଏବେ ପୀଡ଼ିତା ମହିଳାଙ୍କର ଚିକିତ୍ସା ଚାଲିଛି। ପୁଲିସ ଜଣେ ଅପରାଧୀକୁ ଗିରଫ କରି ଜେରା ଚଳାଇଛି।

ସମ୍ବନ୍ଧିତ ଖବର