ସଂସଦରେ ଦୁଷ୍କର୍ମ ଝଡ଼, ‘ପିଟିପିଟି ମାରି ଦିଆଯାଉ, ଫାଶୀ ଦିଆଯାଉ, ନପୁଂସକ କରି ଦିଆଯାଉ’

ନୂଆଦିଲ୍ଲୀ: ହାଇଦ୍ରାବାଦ୍‌ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଆଜି ସଂସଦରେ ମଧ୍ୟ ଏହି ଘଟଣଶ ସହ ଦେଶରେ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ ବିରୋଧରେ ସାଂସଦମାନେ ସେମାନଙ୍କ ସ୍ବର ଶାଣିତ କରିଛନ୍ତି। ଉଭୟ ରାଜ୍ୟସଭା ଓ ଲୋକସଭାରେ ଦଳମତ ନିର୍ବିଶେଷରେ ସାଂସଦମାନେ ଦୋଷୀକୁ କଠୋର ଦଣ୍ଡ ପାଇଁ ଦାବି କରିଥିଲେ। ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଏହି ପ୍ରସଙ୍ଗରେ ରାଜ୍ୟସଭାରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜୟା କହିଛନ୍ତି ଯଦି ଉଚ୍ଚ କର୍ତ୍ତୃପକ୍ଷମାନେ ଲୋକଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ତେବେ ଲୋକମାନଙ୍କ ହାତରେ ବିଚାର ଛାଡ଼ି ଦିଆଯାଉ। ଦୁଷ୍କର୍ମକାରୀକୁ ସର୍ବସମ୍ମୁଖରେ ପିଟିପିଟି ମାରିଦେବା ଉଚିତ୍‌ ବୋଲି ଜୟା କହିଛନ୍ତି। ଜୟା ମଧ୍ୟ ଏକଥା କହିଛନ୍ତି, ହାଇଦ୍ରାବାଦ୍‌ରେ ଯେଉଁ ସୁରକ୍ଷାକର୍ମୀଙ୍କ ଅଞ୍ଚଳ ଅଧୀନରେ ଏଭଳି ଘୃଣ୍ୟ ଅପରାଧ ଘଟିଛି ସେମାନେ ଉତ୍ତରଦାୟୀ ରହିବା‌ ଉଚିତ୍‌। ଲୋକସଭାରେ ମଧ୍ୟ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ ରୋକିବା ପାଇଁ ସରକାର ନୂଆ ଆଇନ ଆଣିବେ। ହାଇଦ୍ରାବାଦ୍‌ ଘଟଣା ସମଗ୍ର ଦେଶପାଇଁ ଲଜ୍ଜାଜନକ । ଏହା ସମସ୍ତଙ୍କୁ କଷ୍ଟ ଦେଇଛି। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ରାଜନାଥ ଏକଥା ସ୍ପଷ୍ଟ କରିଛନ୍ତି ଯେ ମହିଳାଙ୍କ ବିରୋଧରେ ଅପରାଧ ରୋକିବା ପାଇଁ ଗୃହ ଯେଉଁ ଆଇନ ଆଣିବାକୁ ରାଜି ହେବ ‌ଆମେ ତାହା ପ୍ରଣୟନ ପାଇଁଁ ପ୍ରସ୍ତୁତ ଅଛୁ। ରାଜ୍ୟସଭାରେ ଆଜି ସାଂସଦମାନେ ଦୋଷୀକୁ ମୃତ୍ୟୁଦଣ୍ଡ, ପିଟିପିଟି ହତ୍ୟା ଏବଂ ନପୁଂସକ କରିଦେବାପାଇଁ ଦାବି କରିଥିଲେ। ଦଳମତ ନିର୍ବିଶେଷରେ ସାଂସଦମାନେ ଏକଜୁଟ୍‌ ହୋଇ ଦୋଷୀ ବିରୋଧରେ କଠୋର ଦଣ୍ଡ ଦାବି କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡ଼ୁ କହିଛନ୍ତି ହାଇଦ୍ରାବାଦ୍‌ ଘଟଣା ମାନବ ସମାଜ ପ୍ରତି ଲଜ୍ଜା। ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ କହିଛନ୍ତି, ସମାଜ ଏଭଳି ସମସ୍ୟାକୁ ମୂଳରୁ ନାଶ କରିବା ଉଚିତ୍‌। କଂଗ୍ରେସର ମହମ୍ମଦ ଅଲି ଖାନ୍‌ କହିଛନ୍ତି ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏକ ବିଚାର ପାଇଁ ସମୟସୀମା ‌ଧାର୍ଯ୍ୟ ହେବା ଉଚିତ୍‌ । ଆପ୍‌ ଏମ୍‌ପି ସଂଜୟ ସିଂହ କହିଛନ୍ତି, ମହିଳାଙ୍କ ବିରୋଧରେ ଅପରାଧର ଫାଷ୍ଟ ଟ୍ରାକ୍‌ କୋର୍ଟରେ ବିଚାର ହେବା ଉଚିତ୍‌ ଏବଂ ସଠିକ୍‌ ସମୟ ମଧ୍ୟରେ ଦଣ୍ଡ ଦିଆ‌ଯିବା ଉଚିତ୍‌ । ଅନ୍ୟପକ୍ଷେ ଡିଏମ୍‌କେର ପି ୱିଲସନ୍‌ କହିଛନ୍ତି, ଦୁଷ୍କର୍ମ ମାମଲାରେ ଦୋଷୀକୁ ନପୁଂସକ କରିବାପାଇଁ କୋର୍ଟକୁ କ୍ଷମତା ମିଳିବା ଉଚିତ୍‌ ବୋଲି ମତ ଦେଇଥିଲେ।

ଲୋକସଭାରେ ହାଇଦ୍ରାବାଦ୍‌ ଦୁଷ୍କର୍ମ ମାମଲା ନେଇ ପ୍ରବଳ ବିତର୍କ ହୋଇଛି। ବାଚସ୍ପତି ଓମ୍‌ ବିର୍ଲା ସାଂସଦମାନଙ୍କୁ ପ୍ରଶ୍ନକାଳରେ ଏଭଳି ଗୁରୁତର ପ୍ରସଙ୍ଗ ଉଠାଇବାପାଇଁ ଅନୁମତି ଦେଇଥିଲେ। କଂଗ୍ରେସର ଉତ୍ତମ କୁମାର ରେଡ୍ଡି ତେଲେଙ୍ଗାନା ଗୃହମନ୍ତ୍ରୀଙ୍କ ଟିପ୍ପଣୀକୁ ଅସମ୍ବେଦନଶୀଳ କହି ତାଙ୍କ ଉପରକୁ ପ୍ରବଳ ବର୍ଷିଥିଲେ। ଟିଏମ୍‌ସିର ସୌଗତ ରାୟ କହିଛନ୍ତି, ଦୋଷୀକୁ ଫାଶୀ ଦିଆଯିବ ଉଚିତ୍‌।

ସମ୍ବନ୍ଧିତ ଖବର