ନୂଆଦିଲ୍ଲୀ: ଦୁଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମ ସିଂହ ପୁଣି ଥରେ ଜେଲରୁ ମୁକୁଳିବେ। ଏଥରକ ସେ ୨୧ ଦିନ ପାଇଁ ଜେଲ ବାହାରେ ରହିବେ।
ଏହା ପୂର୍ବରୁ ଜାନୁଆରିରେ ଡେରା ମୁଖ୍ୟ ରାମରହିମଙ୍କୁ ୪୦ ଦିନର ପାରୋଲ ମିଳିଥିଲା। ଗତ ବର୍ଷ ଅକ୍ଟୋବରରେ ମଧ୍ୟ ତାଙ୍କୁ ୪୦ ଦିନିଆ ପାରୋଲ ମିଳିଥିଲା। ତେବେ ଏଥର ସେ ଛୁଟିରେ ବାହାରିବାକୁ ଯାଉଛନ୍ତି।
ପାରୋଲ ଅର୍ଥ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟରେ କିମ୍ବା ଦଣ୍ଡାଦେଶ ସରିବା ପୂର୍ବରୁ ଭଲ ଆଚରଣର ପ୍ରତିଶ୍ରୁତିରେ କଏଦୀଙ୍କୁ ସାମୟିକ ଭାବରେ ମୁକ୍ତ କରିବା। କିନ୍ତୁ, ଛୁଟି ହେଉଛି ଦୋଷୀମାନଙ୍କୁ ଜେଲରୁ ଅଳ୍ପକାଳୀନ ଅସ୍ଥାୟୀ ମୁକ୍ତି।
ଏହି ବିରତି ସମୟରେ ହରିୟାଣାର ସୁନାରିଆ ଜେଲରେ ବନ୍ଦୀ ଥିବା ଏହି ବିବାଦୀୟ ଆତ୍ମଘୋଷିତ ଗୁରୁ ଉତ୍ତରପ୍ରଦେଶର ବାଗପତସ୍ଥିତ ଏକ ଆଶ୍ରମରେ ରହିବେ।
ଉଲ୍ଲେଖଯୋଗ୍ୟ, ଜାନୁଆରିରେ ରାମ ରହିମଙ୍କୁ ଦିଆଯାଇଥିବା ୪୦ ଦିନିଆ ପାରୋଲକୁ ନେଇ ବିବାଦ ସୃଷ୍ଟି ହେବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଥିଲେ ଯେ ସମସ୍ତ ପ୍ରକ୍ରିୟା ଅନୁସରଣ କରି ପାରୋଲ ପାଇବା ଡେରା ସଚ୍ଚା ସୌଦା ମୁଖ୍ୟଙ୍କ ଅଧିକାର।
ସେହି ସମୟରେ ରାମ ରହିମ ଖଣ୍ଡାରେ କେକ୍ କାଟି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ପାରୋଲରେ ଥିବା ବେଳେ ସିରସା ମୁଖ୍ୟ ଅନେକ ଅନଲାଇନ ସତ୍ସଙ୍ଗ ଅଧିବେଶନ ମଧ୍ୟ ଆୟୋଜନ କରିଥିଲେ।