ରୋହତକ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ଶନିବାର ଦିନ ହରିୟାଣାର ରୋହତକ ଜେଲରୁ ୪୦ ଦିନିଆ ପାରୋଲରେ ପଦାକୁ ବାହାରଛନ୍ତି। ଦୁଷ୍କର୍ମ ଏବଂ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ରୋହତକ ଜିଲ୍ଲାର ସୁନାରିଆ କାରାଗାରରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମଙ୍କୁ ୪୦ ଦିନିଆ ପାରୋଲ ମିଳିବା ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି।

Advertisment

ତେବେ ଜେଲ୍‌ରୁ ବାହାରିକା ପରେ ଖୁସି ମନାଇବା ପାଇଁ ଖଣ୍ଡାରେ କେକ୍‌ କାଟିଛନ୍ତି ରାମ ରହିମ। ପାରୋଲ୍‌ରେ ଆସିବା ପରେ ରାମ ରହିମ ଖଣ୍ଡାରେ କେକ୍‌ କାଟି ଉତ୍ସବ ମନାଉଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ସେ ତାଙ୍କର ଜାମିନ ଆବେଦନରେ ଜାନୁଆରି ୨୫ରେ ଡେରାର ପୂର୍ବତନ ମୁଖ୍ୟ ଶାହା ସତନାମ ସିଂଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଦର୍ଶାଇଥିଲେ। ତାପରେ ସେ ଜେଲ୍‌ ବାହାରକୁ ଆସିଛନ୍ତି। ବାହାରକୁ ଆସିବା ପରେ ରାମ ରହିମଙ୍କ ଖୁସି କହିଲେ ନସରେ। ଏପରିକି ସେ କେକ୍‌ କାଟିବା ବେ‌ଳେ କହୁଥିବାର ଶୁଣିବାକୁ ମିଳିଛି ଯେ ‘ଦୀର୍ଘ ୫ ବର୍ଷ ପରେ ଏହି ସୁଯୋଗ ପାଇଛି। ସେଥିପାଇଁ ମୁଁ ଏକାଥରେ ୫ଟା କେକ୍‌ କାଟିବା ଉଚିତ୍‌’।

ଉଲ୍ଲେଖଯୋଗ୍ୟ, ଡେରା ମୁଖ୍ୟଙ୍କୁ ତିନିମାସ ପୂର୍ବରୁ ମଧ୍ୟ ଆଉ ଏକ ପାରୋଲ ପ୍ରଦାନ କରାଯାଇଥିଲା। ଅକ୍ଟୋବର-ନଭେମ୍ବରରେ ତାଙ୍କର ପୂର୍ବ ପାରୋଲ ଅବଧି ସମୟରେ ଦୁଷ୍କର୍ମକାରୀ ରାମ ରହିମ ଉତ୍ତରପ୍ରଦେଶର ବର୍ଣ୍ଣଓ୍ଵା ଆଶ୍ରମରେ ଅନେକ ଅନଲାଇନ୍‌ ‘ସତସଙ୍ଗ’ ଆୟୋଜନ କରିଥିଲେ। ଏଥିରେ ହରିୟାଣାର କେତେକ ବିଜେପି ନେତା ମଧ୍ୟ ଯୋଗ ଦେଇଥିଲେ।