ୟୁପିରେ ୩, ମଧ୍ୟପ୍ରଦେଶରେ ୨ ନାବାଳିକାଙ୍କୁ ଦୁଷ୍କର୍ମ

ଲକ୍ଷ୍ନୌ/ଭୋପାଳ : ଦେଶବ୍ୟାପୀ ବିଭିନ୍ନ ରାଜ୍ୟମାନଙ୍କରେ ଏବେ ନାବାଳିକାଙ୍କ ବିରୋଧରେ ଅପରାଧ ବଢ଼ି ଚାଲିଛି। ଆଲିଗଡ଼ ଶିଶୁକନ୍ୟା ହତ୍ୟା ମାମଲା ଏବେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଉତ୍ତରପ୍ରଦେଶରେ ପୁଣି ଆଉ ୩ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ୨ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାରେ ଜଣେ ୧୨ ବର୍ଷୀୟା ଦଳିତ ନାବାଳିକା ୬ ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବାବେଳେ କାନପୁରରେ ଜଣେ ୧୫ ବର୍ଷୀୟା ନାବାଳିକା ଜଣେ ମଦ୍ରାସା ଶିକ୍ଷକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ସେହିପରି ଜଲୌନ ସ୍ଥିତ ବିଜବାହା ଗ୍ରାମରେ ଜଣେ ୭ ବର୍ଷୀୟା ନାବାଳିକା ମଧ୍ୟ ଦୁଷ୍କର୍ମର ଶିକାର ହୋଇଛନ୍ତି। ମଧ୍ୟପ୍ରଦେଶର ‌ଭୋପାଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାବେଳେ ଜବଲପୁର ଜିଲ୍ଲାରେ ଜଣେ ୪ ବର୍ଷୀୟା ନାବାଳିକା ମଧ୍ୟ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ମାମଲାରେ ଜଣେ ନାବାଳକ ଏବେ ଅଟକ ରହିଛନ୍ତି।

ସୂଚନାନୁଯାୟୀ ଉତ୍ତରପ୍ରଦେଶର କୁଶିନଗର ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କର ଅଭିଯୁକ୍ତ ସହ ବିବାଦ ଥିଲା। ଅଭିଯୁକ୍ତମାନେ ପୀଡ଼ିତାକୁ ତା’ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଦୁଷ୍କର୍ମ କରିଥିବାବେଳେ ଏହାର ବିରୋଧ କରିବାରୁ ସେମାନେ ମାଡ଼ପିଟ କରିଥିଲେ। ପୀଡ଼ିତାଙ୍କ ମା’ ଏନେଇ ଲିଖିତ ଭାବେ ପୁଲିସରେ ଅଭିଯୋଗ କରିବା‌ପରେ ପୁଲିସ ଉକ୍ତ ଘଟଣାରେ ମାମଲା ରୁଜୁ କରିଛି। ସେହିପରି ଦ୍ବତୀୟ ଘଟଣାରେ ଜଣେ ମଦ୍ରାସା ଶିକ୍ଷକ ୧୫ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ମଦ୍ରାସା ଶିକ୍ଷକ ଗିରଫ ହୋଇଛନ୍ତି ଏବଂ ତାଙ୍କ ବିରୋଧରେ ପକ୍ସୋ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର