ଉତ୍ତର ପ୍ରଦେଶର ଉନ୍ନାଓରେ ଲୋମଟାଙ୍କୁରା ବର୍ବରତା : ପୀଡ଼ିତାଙ୍କୁ ଜିଅନ୍ତା ଜାଳିଦେଲେ

ଅବସ୍ଥା ସଙ୍କଟାପନ୍ନ, ୫ ଅଭିଯୁକ୍ତ ଗିରଫ

ଅବସ୍ଥା ସଙ୍କଟାପନ୍ନ, ୫ ଅଭିଯୁକ୍ତ ଗିରଫ
ଲକ୍ଷ୍ନୌରୁ ଦିଲ୍ଲୀ ସ୍ଥାନାନ୍ତର ହେଲେ ପୀଡ଼ିତା
ପଶ୍ଚିମବଙ୍ଗର ମାଲ୍‌ଦାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ମାରିଦେଲେ

ଉନ୍ନାଓ : ହାଇଦ୍ରାବାଦରେ ଜଣେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ କରି ଜିଅନ୍ତା ଜାଳିଦେବା ଭଳି ବୀଭତ୍ସ କାଣ୍ଡକୁ ନେଇ ଦେଶବ୍ୟାପୀ କ୍ରୋଧର ବାତାବରଣ ଲାଗି ରହିଥିବା ବେଳେ ଆଜି ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ମଧ୍ୟ ଏଭଳି ଲୋମଟାଙ୍କୁରା ବର୍ବରତାର ଖବର ମିଳିଛି। ବର୍ଷେକ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତର ପ୍ରଦେଶରେ ଉନ୍ନାଓ ଅଂଚଳର ଜଣେ ଯୁବତୀଙ୍କୁ ୫ ଜଣ ଦୁର୍ବୃତ୍ତ ଜିଅନ୍ତା ଜାଳି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପୀଡ଼ିତାଙ୍କ ଶରୀରର ୯୦ ପ୍ରତିଶତ ଜଳି ଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଲକ୍ଷ୍ନୌ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଅତି ଉଦ୍‌ବେଗଜନକ ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଲକ୍ଷ୍ନୌରୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଏହି ଅମାନବୀୟ କାଣ୍ଡ ଘଟାଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାକୁ ନେଇ ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇ ଦୁଷ୍କର୍ମକାରୀ ରହିଥିବା ଜଣାପଡ଼ିଛି। ‌େସମାନେ ନିକଟରେ ଜାମିନରେ ବାହାରକୁ ଆସିଥିଲେ।

ଉନ୍ନାଓ ଏସ୍‌ପି କହିଛନ୍ତି ଯେ ଗତ ବର୍ଷ ଡିସେମ୍ବରରେ ଏହି ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ତାଙ୍କ ଗ୍ରାମର ଦୁଇ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଦୁଇ ଅଭିଯୁକ୍ତ ଆଜି ପେଟ୍ରୋଲ ଢାଳି ଜିଆନ୍ତା ପୋଡ଼ିବା ଘଟଣାରେ ମଧ୍ୟ ସାମିଲ ଥିଲେ।

ସେମାନଙ୍କୁ ପୁଲିସ ଗିରଫ କରିଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ନିକଟରେ ଜେଲ୍‌ରୁ ଜାମିନରେ ଆସିବା ପରେ ଅଭିଯୁକ୍ତମାନେ ସେମାନଙ୍କୁ ଧମକ ଦେଉଥିଲେ। ତେବେ ସେମାନେ ଏଭଳି ବର୍ବର କାଣ୍ଡ ଘଟାଇବେ ବୋଲି କେହି ଚିନ୍ତା କରିନଥିଲେ। ଆଜି ଭୋର୍‌ ୪ଟା ବେଳେ ପୀଡ଼ିତା ରାୟବରେଲି କୋର୍ଟ ଯିବା ପାଇଁ ଟ୍ରେନ୍‌ ଧରିବା ନିମେନ୍ତ ବୈସବାରା ବିହାର ରେଳ ଷ୍ଟେସନ ଯାଉଥିଲେ। ରାସ୍ତାରେ ଗୌରା ଛକ ନିକଟରେ ଗ୍ରାମର ହରିଶଙ୍କର ତ୍ରିବେଦୀ, କିଶୋର, ଶୁଭମ, ଶିବ ଏବଂ ଉମେଶ ତାଙ୍କୁ ଘେରିଯାଇ ଛଡ଼ ଏବଂ ଛୁରିରେ ଆକ୍ରମଣ କରିଥିଲେ। ପୀଡ଼ିତା ତଳେ ପଡ଼ିଯିବା ପରେ ସେମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୀଡ଼ିତା ଯନ୍ତ୍ରଣାରେ ଚିତ୍କାର କରୁଥିବା‌େ‌ବଳେ ସ୍ଥାନୀୟ ଲୋକେ ଦୌଡ଼ି ଆସି ପୀଡ଼ିତାଙ୍କ ଶରୀରରେ ଲାଗିଥିବା ନିଆଁକୁ ଲିଭାଇଥିଲେ। କିନ୍ତୁ ସେତେବେଳକୁ ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଜଳି ଯାଇଥିଲା।

ପୀଡ଼ିତା ଏସ୍‌ଡିଏମ୍‌ଙ୍କୁ ଦେଇଥିବା ବୟାନ ଅନୁଯାୟୀ ଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ରାୟବରେଲି ଯିବା ନିମନ୍ତେ ‌ସେ ଭୋର୍‌ ୪ଟାରୁ ଘରୁ ବାହାରିଥିଲେ। ଏ ସଂପର୍କରେ ଅଭିଯୁକ୍ତମାନେ ଆଗୁଆ ଜାଣିପାରି ଗ୍ରାମ ନିକଟରେ ଛକି ରହିଥିଲେ। ଗୌରା ଛକ ନିକଟରେ ତାଙ୍କୁ ଅଚାନକ ୫ ଜଣ ଛଡ଼ ଓ ଛୁରିରେ ବାରମ୍ବାର ଆଘାତ କରିଥିଲେ। ଛୁରି ମାଡ଼ରେ ସେ ଆହତ ହୋଇ ତଳେ ପଡ଼ିଯିବା ପରେ ଜେଲ୍‌ ଫେରନ୍ତା ଦୁଇ ଅଭିଯୁକ୍ତ ଏକ ବ୍ୟାରେଲ୍‌ରେ ଆଣିଥିବା ପେଟ୍ରୋଲ ତାଙ୍କ ଉପରେ ଢ଼ାଳି ନିଆଁ ଲଗାଇ ଦେଇଥିଲେ।

ଏହି ଘଟଣାକୁ ନେଇ ଆଜି ବିରୋଧୀ ଦଳମାନେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ବିଜେପି ସରକାର ଏହି ଘଟଣା ପାଇଁ ନୈତିକ ଦାୟିତ୍ବ ନେଇ ଇସ୍ତଫା ଦେବା ଉଚିତ ବୋଲି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଯୋଗୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି।

ସେହିଭଳି ଆଜି ପଶ୍ଚିମବଙ୍ଗର ମାଲ୍‌ଦାରୁ ଜଣେ ମହିଳାଙ୍କ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ମୃତଦେହ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଦୁର୍ବୃତ୍ତମାନେ ସମ୍ପୃକ୍ତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଜାଳି ଦେଇଥିବା ପୁଲିସ ସନ୍ଦେହ କରୁଛି। ଉଭୟ ଘଟଣାକୁ ନେଇ ଦେଶ ବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର