ଭୋପାଳ: ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ଦେଇ ଅଦାଲତରେ ବିଚାର ଆରମ୍ଭ ହେବା ବେଳକୁ ପୁଣି ତାହାକୁ ପ୍ରତ୍ୟାହାର କରି ନେଇଥିବା ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ଠାରୁ ଅନୁକମ୍ପା ରାଶି ଫେରସ୍ତ ଆଣିବାକୁ ମଧ୍ୟପ୍ରଦେଶ ହାଇକୋର୍ଟ ସାଗର ଜିଲ୍ଲାର କଲେକ୍ଟର୍ଙ୍କୁ ଆଦେଶ ଦେଇଛନ୍ତି।
ଅଭିଯୁକ୍ତଙ୍କୁ ଜାମିନ୍ରେ ମୁକୁଳାଇବା ପାଇଁ ଆଦେଶ ଦେବା ବେଳେ ଜଷ୍ଟିସ୍ ଏସ୍ କେ ପାଲୋଙ୍କ ଖଣ୍ଡପୀଠ କହିଲେ, ଏଇ ଆଦେଶ ପାଇ ବିଦାୟ ନେବା ପୂର୍ବରୁ ଭଲ ହେବ ଯଦି ରାଜ୍ୟ ସରକାର ପ୍ରିଭେନ୍ସନ୍ ଅଫ୍ ଏଟ୍ରୋସିଟିଜ୍ ଏଗ୍ନେଷ୍ଟ୍ ଏସ୍ସି/ଏସ୍ଟି ଆକ୍ଟ ୧୯୮୯ ଅଧୀନରେ ଅଭିଯୋଗକାରିଣୀଙ୍କୁ କିଛି ଅନୁକମ୍ପା ରାଶି ଦେଇ ଥାଆନ୍ତି ତାହା ତାଙ୍କ ଠାରୁ ଫେରସ୍ତ ଆଣନ୍ତୁ। ଅନୁକମ୍ପା ଅର୍ଥ ଆଦାୟ ପାଇଁ ଏହି ଆଦେଶର ଏକ ନକଲ ସାଗର ଜିଲ୍ଲାପାଳଙ୍କୁ ପଠାଯାଉ।
ଏପ୍ରିଲ୍ ୨୦୧୬ରେ ପ୍ରିଭେନ୍ସନ୍ ଅଫ୍ ଏଟ୍ରୋସିଟିଜ୍ ଏଗ୍ନେଷ୍ଟ୍ ଏସ୍ସି/ଏସ୍ଟି ଆକ୍ଟ୍ରେ ଏକ ଭିନ୍ନ ବ୍ୟବସ୍ଥା ଯୋଗ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ମାମଲା ଚାଲି ବିଚା ଶେଷ ହୋଇ ନ ଥିଲେ କି, ସେ ଦୋଷୀ ସାବ୍ୟସ୍ତ ହୋଇ ନ ଥିଲେ ମଧ୍ୟ ଏହି ବର୍ଗରେ କୌଣସି ମହିଳା/ବାଳିକାଙ୍କ ସହ ଦୁଷ୍କର୍ମ କରାଯାଇଥିଲେ ତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ।
ଏହି ମାମଲାରେ ଅଭିଯୁକ୍ତ ଜିତେନ୍ଦ୍ର ପଟେଲ୍ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ସ୍ପେସାଲ୍ ଜଜ୍ଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବୟସାନୁସାରେ ପଟେଲ୍ ଜଣେ ନାବାଳକ, କିନ୍ତୁ ଅପରାଧର ପ୍ରକାରକୁ ଦୃଷ୍ଟି ଦେଇ ପ୍ରାପ୍ତ ବୟସ୍କଙ୍କ ପରି ତାଙ୍କର ବିଚାର କରାଯାଉଛି।