ପଞ୍ଜାବ ଗଣଦୁଷ୍କର୍ମ ପୀଡ଼ିତାଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ

ଲୋକଲଜ୍ଜା ଭୟରେ ପରିବାର ଚିକିତ୍ସା କରାଇନଥିଲେ

ଲୁଧିଆନା : ପଞ୍ଜାବର ଜଣେ ସ୍କୁଲ୍‌ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହେବାପରେ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଫଜିଲ୍‌କା ଗ୍ରାମର ଏହି ୧୭ ବର୍ଷୀୟା ଛାତ୍ରୀ ଜଣକ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ତେବେ ସେ ସ୍କୁଲ୍‌ ଯାଉଥିବା ବାଟରେ ହିଁ ତାଙ୍କୁ ତିନି ଜଣ ଅପହରଣ କରିନେଇ ଗଣଦୁଷ୍କର୍ମ କରିବାପରେ ଏକ ବସ୍‌ରେ ଫୋପାଡ଼ି ଦେଇ ଚାଲିଯାଇଥିଲେ। ଗୁରୁତର ଅବସ୍ଥାରେ ଝିଅକୁ ତାଙ୍କ ପରିବାର ଲୋକ ଉଦ୍ଧାର କରିଥିଲେ। କିନ୍ତୁ ସାମାଜିକ କଳଙ୍କର ଭୟରେ ସେମାନେ ଘଟଣା ବାବଦରେ ପୁଲିସରେ ଜଣାଇନଥିଲେ କି ଝିଅକୁ ଚିକିତ୍ସାଳୟ ନେଇନଥିଲେ। ଅନ୍ୟପକ୍ଷରେ ପ୍ରବଳ ରକ୍ତଶ୍ରାବ ହୋଇ ଉକ୍ତ ଛାତ୍ରୀଜଣଙ୍କର ମୃତ୍ୟୁ ହୋଇଥିବା ଜଲାଲାବାଦ୍‌ ଡିଏସପି ଅମରଜିତ୍‌ ସିଂହ କହିଛନ୍ତି। ଅମରଜିତଙ୍କ କହିବା ଅନୁଯାୟୀ ଘଟଣା ବାବଦରେ ଛାତ୍ରୀଙ୍କ ପରିବାର ସଦସ୍ୟ ପୁଲିସରେ କିଛି ଜଣାଇନଥିଲେ। ତେବେ ଉକ୍ତ ଗ୍ରାମର ଜଣେ ଗ୍ରାମବାସୀ ଏନେଇ ପୁଲିସରେ ଖବର ଦେବାପରେ ପୁଲିସ ଘଟଣାର ସତ୍ୟତା ଜାଣିବାପାଇଁ ଗ୍ରାମରେ ପହଞ୍ଚିଥିଲା କିନ୍ତୁ ସେତେବେଳକୁ ଛାତ୍ରୀଜଣଙ୍କର ମୃତ୍ୟୁ ହୋଇ ସାରିଥିଲା।
ପୀଡିତା ଛାତ୍ରୀଙ୍କର ତତ୍କାଳ ମେଡିକାଲ ଚିକିତ୍ସା ଆବଶ୍ୟକ ଥିଲା କିନ୍ତୁ ଉକ୍ତ ପରିବାର ସଦସ୍ୟ ସେମାନଙ୍କ ସମ୍ମାନରେ ଦାଗ ଲାଗିବା ଭୟରେ ଝିଅକୁ ମେଡିକାଲ ନନେଇ ଘରେ ରଖିବାଫଳରେ ଅତ୍ୟନ୍ତ ରକ୍ତଶ୍ରାବ ହୋଇ ତା’ର ମୃତ୍ୟୁ ହୋଇଥିବା ଡିଏସପି କହିଛନ୍ତି। ତେବେ ଏହି ଜଘନ୍ୟ କାଣ୍ଡରେ ୩ ଜଣ ସମ୍ପୃକ୍ତ ଥିବାବେଳେ ପୀଡିତାଙ୍କ ମା’ ଜଣେ ଅଭିୁଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି। ଅନ୍ୟ ୨ ଜଣ ଫେରାର ଥିବାହେତୁ ସେମାନଙ୍କୁ ଚିହ୍ନଟ କରାଯାଇପାରିନି। ୩ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୭୬-ଡି (ଗଣଦୁଷ୍କର୍ମ) ଏବଂ ୩୦୨ (ହତ୍ୟା) ଅଧିନରେ ଜଲାଲାବାଦ୍‌ ସଦର ପୁଲିସ ଷ୍ଟେସନ୍‌ରେ ଏଫଆଇଆର ଦାଏର ହୋଇଛି। ପୃଥକ୍‌ ଘଟଣାରେ ଉତ୍ତରପ୍ରଦେଶର ମିରଟ୍‌ ଜିଲ୍ଲାର ଜାନି ଗ୍ରାମରେ ଜଣେ ୧୦୦ ବର୍ଷୀୟା ବୃଦ୍ଧା ଦୁଷ୍କର୍ମର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ଉକ୍ତ ବୃଦ୍ଧାଙ୍କୁ ଜଣେ ନିଶାଷକ୍ତ ବ୍ୟକ୍ତି ଦୁଷ୍କର୍ମ କରିବାଦ୍ୱାରା ତାଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର