ପାକିସ୍ତାନରେ ଚାଞ୍ଚଲ୍ୟ: ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଯନ୍ତ୍ରଣା ଠାରୁ ବଳିଗଲା ‘କୁମାରୀତ୍ୱ ପରୀକ୍ଷଣ’ର ଯାତନା

ଲାହୋର: ପାକିସ୍ତାନରେ ଦୁଷ୍କର୍ମର ଶିକାର ହେଉଥିବା ନାବାଳିକାମାନଙ୍କ ପାଇଁ ଏବେ ଅଭିଶାପ ପାଲଟିଛି ‘କୁମାରୀତ୍ୱ ପରୀକ୍ଷା’। ଦୁଷ୍କର୍ମ ଜନିତ ଯାତନା ଓ ଯନ୍ତ୍ରଣା ଠାରୁ ପୀଡ଼ିତାମାନଙ୍କ ପାଇଁ ଅଧିକ ବେଦନାଦାୟକ ଓ ଦୁର୍ବିସହ ହୋଇପଡ଼ୁଛି ଏହି କୁମାରୀତ୍ୱ ପରୀକ୍ଷଣ। ଆଉ ବିଡ଼ମ୍ବନା ହେଲା ପାକିସ୍ତାନରେ ଯଦି ଅବିବାହିତ ଯୁବତୀମାନେ ଦୁଷ୍କର୍ମର ଅଭିଯୋଗ ପୁଲିସ୍‌ ନିକଟରେ ଆଗତ କରନ୍ତି ତେବେ ସେମାନଙ୍କ ପାଇଁ କୁମାରୀତ୍ୱର ପରୀକ୍ଷଣ ଦେବା ହେଉଛି ବାଧ୍ୟତାମୂଳକ। ପାକିସ୍ତାନରେ ବିଗତ ଦୀର୍ଘ ବର୍ଷ ଧରି ଏ ବ୍ୟବସ୍ଥା ଚାଲିଆସୁଛି। ତେବେ, ନିକଟରେ ଦୁଷ୍କର୍ମର ଶିକାର ହୋଇଥିବା ଜନୈକା ୧୪ ବର୍ଷୀୟା ନାବାଳିକାଙ୍କ କୁମାରୀତ୍ୱ ପରୀକ୍ଷଣ କାଳରେ ତାଙ୍କୁ ଦିଆ ଯାଇଥିବା ଯାତନା ଓ ନିର୍ଯାତନା ସଂପର୍କରେ ସେ ଗଣମାଧ୍ୟମରେ ଖୁଲାସା କରିବା ପରେ ଏବେ ଏହାକୁ କେନ୍ଦ୍ର କରି ଆରମ୍ଭ ହୋଇଛି ହଇଚଇ।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଜନୈକା ୧୪ ବର୍ଷୀୟା ପାକିସ୍ତାନୀ ନାବାଳିକା ଶାଜିୟା (ଛଦ୍ମନାମ) ତାଙ୍କ ପିତାଙ୍କର ଜଣେ ସଂପର୍କୀୟଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ପରେ ନାବାଳିକା ପୀଡ଼ିତା ଜଣକ ଏକ ବିରଳ ସାହସିକ ପଦକ୍ଷେପ ଗ୍ରହଣ କରି ପାକିସ୍ତାନୀ ପୁଲିସକୁ ଅପରାଧ ବିଷୟରେ ଜଣାଇଥିଲେ। ତେବେ,ଏଇଠୁ ହିଁ ନ୍ୟାୟ ପାଇବା ପରିବର୍ତ୍ତେ ପୀଡ଼ିତାଙ୍କ ସହ ଆରମ୍ଭ ହୋଇ ଯାଇଥିଲା ନିର୍ଯାତନା।

ନାବାଳିକା ଜଣକ ପ୍ରକୃତରେ କୁମାରୀ ନା ଅଭ୍ୟାସଗତ ଭାବେ ଯୌନ ସଂପର୍କ ରଖନ୍ତି; ତାଙ୍କ ସହ ଦୁଷ୍କର୍ମ ହୋଇଛି ନା ନାହିଁ; ଦୁଷ୍କର୍ମ ପୂର୍ବରୁ ତାଙ୍କ କୁମାରୀତ୍ୱ ଅକ୍ଷତ ଥିଲା ନା ନାହିଁ; ପୂର୍ବରୁ ତାଙ୍କର ଯୌନ ସଂପର୍କ ରଖିବାର ଇତିହାସ ଅଛି ନା ନାହିଁ ସେବୁର ଯାଞ୍ଚ ଆରମ୍ଭ କରିଥିଲା ପୁଲିସ୍‌। ଆଉ ଏସବୁର ଯାଞ୍ଚ ପାଇଁ ପୀଡ଼ିତାଙ୍କୁ ଡାକ୍ତରଖାନା ନେଇ ଯିବା ସହ ଡାକ୍ତରଙ୍କୁ ଏସବୁ ଲାଗି ଉଦ୍ଦିଷ୍ଟ ପରୀକ୍ଷା ଦେବାକୁ ବାଧ୍ୟ କରିଥିଲା।

ନାବାଳିକା ଦୁଷ୍କର୍ମ ପୀଡ଼ିତା ଶାଜିୟା ତାଙ୍କ ସହ କରାଯାଇଥିବା ପରୀକ୍ଷା ସଂପର୍କରେ ଏକ ଲିଖିତ ବିବୃତିରେ କହିଛନ୍ତି ଯେ, ଡାକ୍ତର ତାଙ୍କର ଏକାଧିକ ଆଙ୍ଗୁଠି ମୋ ଗୁପ୍ତାଙ୍ଗରେ ଭର୍ତ୍ତି କରିଥିଲେ। ଏହା ବହୁତ ଯନ୍ତ୍ରଣାଦାୟକ ଥିଲା। ସେ କାହିଁକି ଏପରି କରୁଥିଲେ ମୁଁ ଜାଣି ନ ଥିଲି। ମୁଁ ଯନ୍ତ୍ରଣାରେ ଛଟପଟ ହେଉଥିଲି।

ଏହି ଘଟଣା ଏବେ ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ କେନ୍ଦ୍ର କରି ସେଠାରେ ଏବେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହି କାରଣ ପାଇଁ ପାକିସ୍ତାନରେ ଦୁଷ୍କର୍ମ ଅପରାଧ ସବୁର ଅଭିଯୋଗ ପୁଲିସ୍‌ ପୁଲିସ୍‌ ନିକଟକୁ ଆସିପାରୁ ନଥିବା ଦର୍ଶାଇ ତୁରନ୍ତ ‘କୁମାରୀତ୍ୱ ପରୀକ୍ଷା’କୁ ବନ୍ଦ କରିବା ପାଇଁ ସାମାଜିକ ସଂଗଠନଗୁଡ଼ିକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର