ନୂଆଦିଲ୍ଲୀ: ଆଜି ଜାତୀୟ ରାଜଧାନୀ ଦିଲ୍ଲୀର ରାଜପଥରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ସାଂସ୍କୃତିକ ବିବିଧତା ଏବଂ ପ୍ରତିରକ୍ଷା ପରାକ୍ରମର ପ୍ରଦର୍ଶନ ଭିତରେ ପାଳିତ ହୋଇଛି ୭୨ତମ ସାଧାରଣତନ୍ତ୍ର ଦିବସ । ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କ୍ୟାବିନେଟର ସଦସ୍ୟ ଓ ସେନାର ମୁଖ୍ୟମାନଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ପରେ ୨୨୩ ଫିଲ୍ଡ୍ ରେଜିମେଣ୍ଟ୍ର ୨୧ ତୋପ ସଲାମୀ ମାଧ୍ୟମରେ ଆରମ୍ଭ ହୋଇଥିଲା ସାଧାରଣତନ୍ତ୍ର ଦିବସ ଉତ୍ସବ। ଆଜିର ପରେଡର ମୁଖ୍ୟ ଆକର୍ଷଣ ଥିଲା ରାଫେଲ୍ ଜେଟ୍ ଉଡାଣ ଏବଂ ବାଂଲାଦେଶ ସେନାର ମାର୍ଚ୍ଚପାଷ୍ଟ। ତୋପ ସଲାମୀ ପରେ ପରେଡ୍ କମାଣ୍ଡର୍ ଭାବେ ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ବିଜୟ କୁମାର ମିଶ୍ର ନେତୃତ୍ୱରେ ଆରମ୍ଭ ହୋଇଥିଲା ପରେଡ୍। ଏଥିରେ ଭାରତୀୟ ସେନାର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଟି-୯୦ ଭୀଷ୍ମ, ବ୍ରାହ୍ମୋସ୍ କ୍ଷେପଣାସ୍ତ୍ର, ସିଲ୍କା ଉଇପନ୍ ସିଷ୍ଟମ୍ ଆସି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ ହୋଇଥିଲା।
ଲେଫ୍ଟ୍ନାଣ୍ଟ୍ କର୍ଣ୍ଣେଲ୍ ଅବୁ ମହମ୍ମଦ ଶାହନୂର ଶାଓ୍ଵନ୍ଙ୍କ ନେତୃତ୍ୱରେ ବାଂଲାଦେଶ ସେନାର ଏକ ଦଳ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅଂଶ ଗ୍ରହଣ କରି ମାର୍ଚପାଷ୍ଟ୍ କରିଥିଲେ।ନୌସେନା ବ୍ୟାଣ୍ଡ୍ ପକ୍ଷରୁ ସଂଗୀତ ପରିବେଷଣ ସହ ସ୍ୱର୍ଣ୍ଣିମ ବିଜୟ ବର୍ଷ ପ୍ରଜ୍ଞାପନ ମେଢ଼ରେ ଭାରତୀୟ ନୌସେନାର କରାଚୀ ବନ୍ଦର ଆକ୍ରମଣ ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା। ବାୟୁସେନାର ପ୍ରଜ୍ଞାପନ ମେଢ଼ରେ ପ୍ରଥମ ମହିଳା ପାଇଲଟ୍ ଭାବେ ଭାଗ ନେଇଥିଲେ ଫ୍ଲାଇଟ୍ ଲେଫ୍ଟ୍ନାଣ୍ଟ୍ ଭାବନା କାନ୍ତ।ଏଥର ପ୍ରଥମ କରି କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ତା'ର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିଥିଲା । ଏଥିରେ ଲଦାଖର ସଂସ୍କୃତି ଏବଂ ସାମ୍ପ୍ରଦାୟିକ ସହାବସ୍ଥାନ ସହ କଳା ଓ ସ୍ଥାପତ୍ୟ, ଭାଷା, ପ୍ରଥା ଏବଂ ପରମ୍ପରା, ମେଳା ଓ ଉତ୍ସବ, ସାହିତ୍ୟ ଓ ସଙ୍ଗୀତ ଆଦି ପ୍ରଦର୍ଶିତ ହୋଇଥିଲା। ସେହିଭଳି ବାୟୋଟେକ୍ନୋଲୋଜି ବିଭାଗର ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶିତ ହୋଇଥିଲା କୋଭିଡ୍-୧୯ ଟିକାକରଣ ପ୍ରକ୍ରିୟା।
ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ହେବା ପରେ ଆରମ୍ଭ ହୋଇଥିଲା ବାୟୁସେନାର ପରାକ୍ରମ ପ୍ରଦର୍ଶନ। ଡାକୋଟା ବିମାନ ଓ ଦୁଇଟି ଏମ୍ଆଇ-୧୭ ଆଇଭି ହେଲିକପ୍ଟର୍ ମିଶି ଆକାଶରେ ପ୍ରଦର୍ଶନ କରଥିଲେ 'ରୁଦ୍ର'। ସେହିଭଳି, ଦୁଇଟି ଜାଗୁଆର୍ ଏବଂ ୨ଟି ମିଗ୍ ଲଢୁଆ ବିମାନ ସହ ଗୋଟିଏ ରାଫେଲ୍ ମିଶି ୩୦୦ ମିଟର ଊର୍ଦ୍ଧ୍ୱରେ ଘଣ୍ଟାପ୍ରତି ୭୮୦ କିଲୋମିଟର ବେଗରେ ପ୍ରଦର୍ଶନ କରିଥିଲେ 'ଏକଲବ୍ୟ'। ସୁ-୩୦ଏମ୍ଆଇ ଯୁଦ୍ଧବିମାନ ପ୍ରଦର୍ଶନ କରିଥିଲା 'ତ୍ରିନେତ୍ର'। ଶେଷରେ ଏକ ରାଫେଲ୍ ଲଢୁଆ ବିମାନ ଫ୍ଲାଇପାଷ୍ଟ୍ କରିବା ପରେ ସାଧାରଣତନ୍ତ୍ର ଦିବସ ପରେଡ୍ ଶେଷ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/rafel.jpg)