ଆମେରିକାରେ ନିଲାମ ହେଉଛି ମହାତ୍ମା ଗାନ୍ଧିଙ୍କ ବିରଳ ଫଟୋ, ରହିଛି ଗାନ୍ଧିଙ୍କର ବାମହାତି ସ୍ୱାକ୍ଷର

ବୋଷ୍ଟନ: ଜାତିର ଜନକ ମହାତ୍ମାଗାନ୍ଧିଙ୍କ ଏକ ବିରଳ ଫଟୋଚିତ୍ର ଆମେରିକାରେ ନିଲାମ ହେବାକୁ ଯାଉଛି । ଏହି ଫଟୋଟି ଲଣ୍ଡନଠାରେ ୧୯୩୧ ମସିହା ସେପ୍ଟେମ୍ବର ମାସରେ ଉଠାଯାଇଥିଲା । ଫଟୋରେ ମହାତ୍ମାଗାନ୍ଧୀଙ୍କ ସହିତ ପଣ୍ଡିତ ମଦନ ମୋହନ ମାଲବ୍ୟ ଅଛନ୍ତି । ୧୯୩୦ରୁ ୧୯୩୨ରେ ଲଣ୍ଡନଠାରେ ଅନୁଷ୍ଠିତ ଗୋଲଟେବୁଲ ବୈଠକରେ ଯୋଗଦେବା ପାଇଁ ଉଭୟ ନେତା ଲଣ୍ଡନ ଯାଇଥିବାବେଳେ ଏହି ଫଟୋ ଉଠାଯାଇଥିଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଫଟୋର ସାମନା ପଟେ ଗାନ୍ଧିଜୀ ନିଜ ବାମ ହାତରେ ସ୍ୱାକ୍ଷର କରିଛନ୍ତି । ସେ ସମୟରେ କିଛି ବର୍ଷ ପାଇଁ ତାଙ୍କ ଡାହାଣ ହାତ ବୁଢା ଆଙ୍ଗୁଳିରେ କିଛି ସମସ୍ୟା ଥିବାରୁ ସେ ବାମ ହାତରେ ସ୍ୱାକ୍ଷର କରିଥିଲେ । ଫଟୋର ପଛପଟେ ମାଲବ୍ୟଙ୍କର ସ୍ୱାକ୍ଷର ରହିଛି । ଏହା ସହିତ ଆସୋସିଏଟ୍‌ ପ୍ରେସର ଷ୍ଟାମ୍ପ ରହିଛି । ଆମେରିକାର ଆର.ଆର. ଅକ୍ସନ ପକ୍ଷରୁ ଏହି ନିଲାମ କରାଯାଉଛି । ଏହି ନିଲାମ ମୂଲ୍ୟ ପ୍ରାୟ ୧୦ ହଜାର ଡଲାର ବା ସାଢେ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି । ଏହି ଫଟୋ ପାଇଁ ବିଡ୍‌ କରିବାର ଶେଷ ତାରିଖ ୧୦ ମାର୍ଚ୍ଚ ରଖାଯାଇଛି ।

ସମ୍ବନ୍ଧିତ ଖବର