ବିରଳ ରୋଗରେ ପୀଡ଼ିତ ଶିଶୁକୁ ଲଟେରିରେ ମିଳିଲା ‌୧୬ କୋଟିର ଇଞ୍ଜେକ୍‌ସନ୍‌

କୋଏମ୍ବା‌ଟୋର୍‌: କୋଏମ୍ବାଟୋରର ଜଣେ ବର୍ଷେ ୧୮ ଦିନର ଶିଶୁ ବିରଳ ରୋଗରେ ପୀଡ଼ିତ। ତାଙ୍କର ଚିକିତ୍ସା ପାଇଁ ଆବଶ୍ୟକ ଏକ ଇଞ୍ଜେକସନର ମୂଲ୍ୟ ୧୬ କୋଟି ଟଙ୍କା ଥିଲା। ତେବେ ବାପାମାଆଙ୍କ ପକ୍ଷରେ ଏହି ଔଷଧ ଯୋଗାଡ଼ କରିବା ସମ୍ଭବପର ନଥିଲା। ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନକୁ ଅର୍ଥ ପାଇଁ ‌‌ଧାଁ ଦୌଡ଼ି କରିଥିଲେ ମଧ୍ୟ ସଫଳତା ପାଇ ନଥିଲେ। କିନ୍ତୁ ଏକ ଲଟେରି ଜରିଆରେ ସେମାନଙ୍କୁ ଏହି ରୋଗର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ୧୬ କୋଟି ଟଙ୍କା ମୂଲ୍ୟର ଇଞ୍ଜେକସନ ମିଳିଯାଇଛି। ଇଞ୍ଜେକସନଟି ମିଳିବା ପରେ ଦିଲ୍ଲୀର ସାର୍‌ ଗଂଗାରାମ୍ ହସ୍ପିଟାଲରେ ଡାକ୍ତରମାନେ ଶିଶୁଟିକୁ ତାହା ଦେଇଛନ୍ତି।

ଶନିବାର ଅପରାହ୍ନରେ ଶିଶୁଟିକୁ ୧୬ କୋଟି ଟଙ୍କା ମୂଲ୍ୟର ଏହି ସିଙ୍ଗଲ୍‌ ଡୋଜ୍ ଇଞ୍ଜେକସନ ଦିଆଯାଇଛି। ଉକ୍ତ ଇଞ୍ଜେକସନର ନାମ ହେଉଛି ଜୋଲ୍‌ଜେନ୍‌ସମା। ଶିଶୁଟିର ନାମ ଜୁହା ଜୈନାବ ଏବଂ ତା ବାପାଙ୍କ ନାମ ଭି ଅବଦୁଲ୍ଲା ଏବଂ ମାଆଙ୍କ ନାମ ଐଶା ଫିର୍‌ଦୋସ। ଶିଶୁଟି ବିରଳ ସ୍ପାଇନାଲ ମସ୍‌କ୍ୟୁଲାର ‌ଆଟ୍ରୋଫି (ଏସ୍‌ଏମ୍‌ଏ) ରୋଗରେ ପୀଡ଼ିତ ଥିଲେ। ଏହି ବିରଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ମାସଂପେଶୀ ଦୁର୍ବଳ ଏବଂ ନଷ୍ଟ ହୋଇଯାଏ। ତେଣୁ ସେମାନେ ମୃତ୍ୟୁମୁଖରେ ପଡ଼ିଥାନ୍ତି। କିୟୋର ଏସଏମଏ ନାମକ ସଂସ୍ଥା ପକ୍ଷରୁ ଉକ୍ତ ରୋଗରେ ପୀଡ଼ିତ ରୋଗୀଙ୍କୁ ଲଟେରି ମାଧ୍ୟମରେ ଇଞ୍ଜେକସନ ମାଗଣାରେ ଯୋଗାଇ ଦିଆଯାଉଥିବା ଜାଣିବାକୁ ପାଇବା ପରେ ସେମାନେ ଶିଶୁଟିର ନାମକୁ ଏଥିପାଇଁ ପଞ୍ଜୀକୃତ କରିଥିଲେ। ସୌଭାଗ୍ୟବଶତଃ ଅନ୍ୟ ୩ ଜଣ ଶିଶୁଙ୍କ ସହିତ ତାଙ୍କ ଶିଶୁକୁ ମାଗଣାରେ ଏହି ଇଞ୍ଜେକ୍‌ସନ ମିଳିଯାଇଛି ବୋଲି ଜୁହା ଜୈନାବର ମାଆ କହିଛନ୍ତି।

ସମ୍ବନ୍ଧିତ ଖବର