ମାଡ଼କୁ ମହାଦେବଙ୍କ ଭୟ : ନିୟନ୍ତ୍ରଣ ରେଖାରେ ଗତ ସପ୍ତାହେ ହେଲା ପାକିସ୍ତାନ ପଟୁ ଆଦୌ ଗୁଳିଚାଳନା ହୋଇନାହିଁ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ଥିବା ନିୟନ୍ତ୍ରଣ ରେଖାରେ ଏକ ଅସମ୍ଭବ କାମ ସମ୍ଭବ ହେଲା ଭଳି ଲାଗୁଛି । କାରଣ ଗତ ପ୍ରାୟ ୬ ଦିନ ହେଲା ଏଠାରେ ଗୋଟିଏ ଥର ମାତ୍ର ଗୁଳି ଚାଳନା ହୋଇନାହିଁ । ଉଭୟ ପଟୁ ପ୍ରାୟ ବର୍ଷ ତମାମ ଗୁଳିଗୋଳା ବର୍ଷଣ ହେଉଥିବାବେଳେ ପ୍ରାୟ ଏକ ସପ୍ତାହ ଧରି ଗୁଳିବର୍ଷଣ ବନ୍ଦ ହେବା ସମସ୍ତଙ୍କୁ ଅଖାଡୁଆ ଲାଗୁଛି । ପାକିସ୍ତାନୀ ସେନା ଗୁଳି ଚଳାଉ ନଥିବାରୁ ଭାରତ ପକ୍ଷରୁ ମଧ୍ୟ ତାହାର ଜବାବ ଦିଆଯାଉନାହିଁ ।
କିନ୍ତୁ କେତେକ ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ଯେ ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ଏବେ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛି । ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ପାକିସ୍ତାନ ଭାରତକୁ ନିବେଦନ କରିଥିବା ଜଣାଯାଇଛି । ଗତ ଏପ୍ରିଲ ମଧ୍ୟଭାଗରେ ପାକିସ୍ତାନ ପକ୍ଷରୁ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହି ନିବେଦନ କରାଯାଇଥିବା ଜଣାଯାଇଛି । ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ଅପସାରଣ ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି । ଏହାଛଡା ଦୁଇପଟୁ ଚାଲିଥିବା ଗୋଳାବର୍ଷଣ ମଧ୍ୟ ବନ୍ଦ କରିବାକୁ ପାକିସ୍ତାନ ପ୍ରସ୍ତାବ ଦେଇଛି ।

ତେବେ କେତେକ ବିଶେଷଜ୍ଞଙ୍କ ମତରେ ପାକିସ୍ତାନ ଏବେ ଆଇଏମଏଫ ଓ ବିଶ୍ୱବ୍ୟାଙ୍କର ଋଣ ପାଇବା ପାଇଁ ଉଦ୍ୟମ କରୁଥିବାରୁ ଉତ୍ତେଜନା କମାଇବାକୁ ଚାହୁଁଛି ।

ସମ୍ବନ୍ଧିତ ଖବର