ନୂଆଦିଲ୍ଲୀ: ଲେହ ଲଦାଖର ଆକାଶରେ ଡବଲ ସନ୍‌ ହାଲୋ (ଦ୍ବୈତ ସୌରପ୍ରଭା ବଳୟ) ନାମକ ଏକ ବିରଳ ମହାକାଶୀୟ ଘଟଣା ଦେଖିବାକୁ ମିଳିଥିଲା, ଯାହା ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଅପ୍ଟିକାଲ୍ (ଦୃଷ୍ଟିଗତ) ଭ୍ରମ ସେତେବେଳେ ହୁଏ ଯେତେବେଳେ ସୂର୍ଯ୍ୟାଲୋକ ସାଇରସ୍ କ୍ଲାଉଡ୍‌ (ତୁଷାରୀଭୂତ ମେଘ)ରେ ଥିବା ବରଫ ସ୍ଫଟିକ ମାଧ୍ୟମରେ ପ୍ରତିଫଳିତ ହେବା ଯୋଗୁ ସୂର୍ଯ୍ୟ ଚାରିପଟେ ଦୁଇଟି ଚମତ୍କାର ଆଲୋକର ବଳୟ ସୃଷ୍ଟି ହୁଏ।

Advertisment

ଭାରତର ଏକାଧିକ ସ୍ଥାନରେ ଦ୍ବୈତ ପ୍ରଭା ବଳୟ ଦୃଶ୍ୟମାନ ହୋଇଥିଲେ ମଧ୍ୟ ତଥାପି ଏହା ଏକ ବିରଳ ଘଟଣା। ଡବଲ୍ ସନ୍ ହାଲୋ ବା ଦ୍ବୈତ-ସୌରପ୍ରଭା ବଳୟ ହେଉଛି ସାଧାରଣ ୨୨ ଡିଗ୍ରି ହାଲୋର ଏକ ଭିନ୍ନରୂପ, ଯେଉଁଠାରେ ଏକ ପ୍ରଭାବଳୟ ସୂର୍ଯ୍ୟକୁ ଘେରି ଥାଏ। ଏହି କ୍ଷେତ୍ରରେ ଦୁଇଟି ଆଲୋକ ବଳୟ ଦୃଶ୍ୟମାନ ହୁଏ - ପ୍ରାୟ ୨୨ ଡିଗ୍ରି ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଆଭ୍ୟନ୍ତରୀଣ ବଳୟ ଏବଂ ସୂର୍ଯ୍ୟକେନ୍ଦ୍ରଠାରୁ ପ୍ରାୟ ୪୬ ଡିଗ୍ରି ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବାହ୍ୟ ବଳୟ।

ଏକ ଦ୍ବୈତ-ସୌରପ୍ରଭା ବଳୟ ଗଠନ ସାଇରସ୍ ମେଘରେ ବରଫ ସ୍ଫଟିକର ଅନନ୍ୟ ଆକୃତି ଓ ଦିଗର ପରିଣାମ ଅଟେ। ଏହି ସ୍ଫଟିକ, ସାଧାରଣତଃ ଆକୃତିରେ ହେକ୍ସାଗୋନାଲ ପ୍ରାକୃତିକ ପ୍ରିଜମ୍ ଭାବରେ କାର୍ଯ୍ୟ କରେ ଏବଂ ସୂର୍ଯ୍ୟକିରଣକୁ ନିର୍ଦ୍ଦିଷ୍ଟ କୋଣରେ ପ୍ରତିଫଳନ ଓ ପ୍ରତିସରଣ କରେ।
‘ସାଇଣ୍ଟିଫିକ୍ ଆମେରିକାନ’ର କହିବା ଅନୁଯାୟୀ, ଯେତେବେଳେ ଏଣେତେଣେ ଥିବା ବରଫ ସ୍ଫଟିକଗୁଡ଼ିକ ଉପରେ ସୂର୍ଯ୍ୟ କିରଣ ପଡ଼େ, ସେତେବେଳେ ପ୍ରତିସୃତ ‌ସୌରରଶ୍ମି ଆଭ୍ୟନ୍ତରୀଣ ୨୨ ଡିଗ୍ରି ପ୍ରଭାବଳୟ ସୃଷ୍ଟି କରିଥାଏ। ଯଦି ସ୍ଫଟିକଗୁଡ଼ିକ ପୃଥିବୀ ସହ ସମାନ୍ତରାଳ ଭାବରେ ଥାଏ ଓ ସେଗୁଡ଼ିକର ଚଟକା ପାର୍ଶ୍ବ ପୃଥିବୀ ଆଡ଼କୁ ଥାଏ, ତେବେ ଏକ ଅତିରିକ୍ତ ପ୍ରତିସରଣ ହୁଏ, ଯାହାଫଳରେ ବାହ୍ୟ ୪୬ ଡିଗ୍ରି ପ୍ରଭାବଳୟ ସୃଷ୍ଟି ହୁଏ। ବରଫ ସ୍ଫଟିକର ଏହି ସଠିକ୍ ସଂଯୋଗ ବିରଳ ବୋଲି କୁହାଯାଏ। ଲଦାଖରେ ଦେଖାଯାଇଥିବା ଡବଲ୍ ସନ୍ ହାଲୋ ଏକ ଆକର୍ଷଣୀୟ ଦୃଶ୍ୟ ଥିଲା, ଯେଉଁଥିରେ ସୂର୍ଯ୍ୟଙ୍କ ଚାରିପାଖରେ ଆଲୋକର ଦୁଇଟି ଏକକେନ୍ଦ୍ରିକ ବଳୟ ଥିଲା, ଯାହା ସ୍ୱଚ୍ଛ ନୀଳ ଆକାଶରେ ଆକର୍ଷଣୀୟ ପ୍ରଦର୍ଶନ ସୃଷ୍ଟି କରିଥିଲା।