୨୦୨୨ ଅକ୍ଟୋବର ୨୫ ଭଳି ୫ ବର୍ଷ ପ‌ରେ ଭାରତରେ ପୁଣି ଦେଖାଯିବ ବିରଳ ଆଂଶିକ ସୂର୍ଯ୍ୟୋପରାଗ

ଭୁବନେଶ୍ବର: ତିନିଦିନ ପରେ ଅର୍ଥାତ ଆଗାମି ୨୫ ତାରିଖ (ମଙ୍ଗଳବାର) ଦିନ ସୂର୍ଯ୍ୟୋପରାଗ ହେବ। ଦୀପାବଳି ଅବସରରେ ଭାରତରେ ଏହା ଆଂଶିକ ସୂର୍ଯ୍ୟେଗ୍ରହଣ ଭାବେ ସନ୍ଧ୍ୟା ସମୟରେ ଦେଖାଯିବ। ପୁଣି ୫ ବର୍ଷ ପରେ ଅର୍ଥାତ ୨୦୨୭ ଅଗଷ୍ଟ ୨ ତାରିଖରେ ହେବାକୁ ଥିବା ସୂର୍ଯ୍ୟୋପରାଗ ଭାରତରେ ଆଂଶିକ ଭାବେ ଦେଖାଯିବ। ଦୀପାବଳି ପର୍ବ ମଧ୍ୟରେ ଦେଖାଯିବାକୁ ଥିବା ଏହି ବିରଳ ସୂର୍ଯ୍ୟୋପରାଗ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଗୋଟିଏ ରେଖାରେ ଚନ୍ଦ୍ର ଆସିବା କାରଣରୁ ପୃଥିବୀର କିଛି ଭୂଭାଗରୁ ସୂର୍ଯ୍ୟ ସଂପୂର୍ଣ୍ଣ ଗୋଲ ଦେଖାଯିବ ନାହିଁ। ଅର୍ଥାତ ସୂର୍ଯ୍ୟଙ୍କ କିଛି ଅଂଶ ପୃଥିବୀ ପୃଷ୍ଠରୁ ଦେଖାଯିବ।

ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ ପାଖାପାଖି ୪ଟା ପରେ ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖାଯିବ। ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ଆଂଶିକ ସୂର୍ଯ୍ୟୋପରାଗ ରହିବ। ଏହା ପରେ ଭାରତରେ ଏହି ଭଳି ସୂର୍ଯ୍ୟୋପରାଗ ଦେଖିବାକୁ ୨୦୨୭ ଅଗଷ୍ଟ ୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେବେ ସେହି ସମୟରେ ମଧ୍ୟ ପାଣିପାଗ କାରଣରୁ ସୂର୍ଯ୍ୟୋପରାଗ ଦେଖାଯିବା ଆଶଂକା କମ ରହିବ। ତେଣୁ ଛୁଟି ସମୟରେ ଏହି ବିରଳ ଦୃଶ୍ୟକୁ ନିଜର ପିଲାମାନଙ୍କୁ ଦେଖାଇ ବୈଜ୍ଞାନିକ ତଥ୍ୟ ସଂପର୍କରେ ଅବଗତ କରାଇପାରିବେ। ସୂର୍ଯ୍ୟୋପରାଗକୁ ସୌର ଚଷମା ଓ ଦୂରବୀକ୍ଷଣ ମାଧ୍ୟମରେ ସାହାଯ୍ୟରେ ଦେଖାଯିବା ଦରକାର। ସୂର୍ଯ୍ୟଗ୍ରହଣର ୨ ସପ୍ତାହ ପରେ ଅଥବା ପୂର୍ବରୁ ସବୁବେଳେ ସୂର୍ଯ୍ୟୋପରାଗ ହୋଇଥାଏ। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏଥର ବି ସମାନ ପରିସ୍ଥିତି ଆସିଛି। କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ସୂର୍ଯ୍ୟୋପରାଗ ହେବ। ଏହାର ୨ ସପ୍ତାହ ପରେ ଅର୍ଥାତ କାର୍ତ୍ତିକ ପୂଣ୍ଣମୀରେ ଚନ୍ଦ୍ରଗ୍ରହଣ ଦେଖାଯିବ।

ଆଗାମୀ ସୂର୍ଯ୍ୟୋପରାଗ

-୨୦୨୨ ଅକ୍ଟୋବର ୨୫: ଆଂଶିକ ସୂର୍ଯ୍ୟୋପରାଗ (ଏହା ଭାରତରେ ଆଂଶିକ ଭାବେ ଦେଖାଯିବ)
-୨୦୨୩ ଏପ୍ରିଲ ୨୦ : ପୂର୍ଣ୍ଣ ସୂର୍ଯ୍ୟୋପରାଗ
-୨୦୨୩ ଅକ୍ଟୋବର ୧୪: ବଳୟାକାର ସୂର୍ଯ୍ୟୋପରାଗ
-୨୦୨୪ ଏପ୍ରିଲ ୮: ପୂର୍ଣ୍ଣ ସୂର୍ଯ୍ୟୋପରାଗ
-୨୦୨୪ ଅକ୍ଟୋବର ୨: ବଳୟାକାର ସୂର୍ଯ୍ୟୋପରାଗ
-୨୦୨୫ ମାର୍ଚ୍ଚ ୨୯: ଆଂଶିକ ସୂର୍ଯ୍ୟୋପରାଗ
-୨୦୨୫ ସେପ୍ଟେମ୍ବର ୨୧: ଆଂଶିକ ସୂର୍ଯ୍ୟୋପରାଗ
-୨୦୨୬ ଫେବ୍ରୁଆରି ୧୭: ବଳୟାକାର ସୂର୍ଯ୍ୟୋପରାଗ
-୨୦୨୬ ଅଗଷ୍ଟ ୧୨: ପୂର୍ଣ୍ଣ ସୂର୍ଯ୍ୟୋପରାଗ
-୨୦୨୭ ଫେବ୍ରୁଆରି ୬: ବଳୟାକାର ସୂର୍ଯ୍ୟୋପରାଗ
-୨୦୨୭ ଅଗଷ୍ଟ ୨: ପୂର୍ଣ୍ଣ ସୂର୍ଯ୍ୟୋପରାଗ (ଏହା ଭାରତରେ ଆଂଶିକ ଭାବେ ଦେଖାଯିବ)

 

ସମ୍ବନ୍ଧିତ ଖବର