୧୫ କିଲୋ ଓଜନର ଦୁର୍ଲଭ ରତ୍ନ ପାଇ ରାତାରାତି ୩. ୩୫ ନିୟୁତ ଡଲାରର ଅଧିକାରୀ ହେଲେ ତାଞ୍ଜାନିଆର ସାନିନ୍ୟୁ ଲାଇଜର୍

ତାଞ୍ଜାନିଆ: ତାଞ୍ଜାନିଆର ଇତିହାସରେ ସବୁଠୁ ବଡ଼ ରତ୍ନପଥର ଉତ୍‌ଖନନ କରି ୩. ୫ ନିୟୁତ ଡଲାର୍‌ ମୂଲ୍ୟରେ ବିକ୍ରୟ କରି ଜଣେ ୫୨ ବର୍ଷିୟ ତାଞ୍ଜାନିଆ ଅଧିବାସୀ ରାତାରାତି କୋଟିପତି ପାଲଟି ଯାଇଛନ୍ତି।

ସେ ଖଣିରୁ ପାଇଥିବା ରତ୍ନପଥରଗୁଡ଼ିକର ଓଜନ ୯.୨ ଓ ୫.୮ କିଲୋଗ୍ରାମ। ଉତ୍ତର ତାଞ୍ଜାନୀୟ ଖଣିରୁ ଏହି ରତ୍ନପଥର ମିଳିଛି। ଗହଣା ଗଢ଼ିବା ପାଇଁ ଉତ୍କୃଷ୍ଟ ଘନ ବାଇଗ‌ଣୀ-ନୀଳ ତାଞ୍ଜାନୀୟ ରତ୍ନ ହେଉଛି ରତ୍ନ ପଥରମାନଙ୍କ ମଧ୍ୟରେ ଖୁବ୍ ଦୁର୍ଲଭ।

ଏହି ଅବସରରେ ସାନିନ୍ୟୁ ଲାଇଜର୍ ନାମକ ଉକ୍ତ ବ୍ୟକ୍ତି ଗୋଟାଏ ବଡ଼ ପାର୍ଟି ଆୟୋଜନ କରିଛନ୍ତି। ଏହି ଅର୍ଥରେ ସେ ନିଜର ଜନ୍ମିତ ସହର ତାଞ୍ଜାନିଆର ମାନିଆରା ଅନ୍ତର୍ଗତ ସିମୋରିଞ୍ଜୋ ଜିଲ୍ଲାରେ ଗୋଟାଏ ସ୍କୁଲ୍ ଏବଂ ସପିଙ୍ଗ୍ ମଲ୍ ନିର୍ମାଣ କରିବାକୁ ଚାହୁଁଛନ୍ତି।

Image Courtesy of India Today

ବିଶ୍ବ ବିଖ୍ୟାତ ଗଣମାଧ୍ୟମ ‘ବିବିସି’କୁ ଲାଇଜର୍ କହିଛନ୍ତି, ମୋ ଘର ପାଖରେ ସ୍କୁଲ୍‌ଟିଏ ବସାଇବାକୁ ଚାହୁଁଛି। ଆଖପାଖରେ ଅନେକ ଗରିବ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସେମାନଙ୍କ ପିଲାଙ୍କୁ ସ୍କୁଲ୍‌ରେ ପଢ଼ାଇବାକୁ ଅର୍ଥ ନାହିଁ।

ଏହି ନୂତନ ଅର୍ଥକୁ ନିଜର ଜୀବନଯାପନ ଶୈଳୀ ପରିବର୍ତ୍ତନ କରିବାରେ ବ୍ୟୟ କରିବେ ନାହିଁ ବୋଲି ଚାରିଜଣ ପତ୍ନୀ ଓ ତିରିଶଜଣ ସନ୍ତାନସନ୍ତତି ଥିବା ଲାଇଜର୍ କହିଛନ୍ତି। ଆପଣା ନିରାପତ୍ତା ବିଷୟରେ ବେପରୁଆ ହୋଇ ପୂର୍ବପରି ପାଳିଥିବା ୨୦୦୦ ଗାଈଙ୍କର ଦେଖାରଖା କରିବେ ବୋଲି ସେ କହିଛନ୍ତି।

ରତ୍ନପଥର ମିଳିଥିବା ଘଟଣାରେ ଆନନ୍ଦିତ ହୋଇ ତାଞ୍ଜାନୀୟ ରାଷ୍ଟ୍ରପତି ଜନ୍‌ ମ୍ୟାଗ୍‌ଫୁଲି କହିଛନ୍ତି, ଏହା ହେଉଛି କ୍ଷୁଦ୍ର ଖଣି ଉଦ୍ୟୋଗୀଙ୍କ ଲାଭ। ତାଞ୍ଜାନିଆ ଯେ, ଧନୀ ଏହା ପ୍ରମାଣିତ କରୁଛି।

ସମ୍ବନ୍ଧିତ ଖବର