ନୂଆଦିଲ୍ଲୀ: ବଢୁଥିବା ଡିପଫେକ୍ ମାମଲା ପରେ ଭାରତରେ ସାଇବର ସୁରକ୍ଷାକୁ ସଶକ୍ତ କରିବା ପାଇଁ ଭେଟେରାନ୍ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ସାଇବର ସୁରକ୍ଷା  ନ୍ୟାସନାଲ ବ୍ରାଣ୍ଡ୍ ଆମ୍ବାସଡର ଭାବରେ ନିଯୁକ୍ତ କରାଯାଇଛି। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା 'ଇଣ୍ଡିଆନ୍ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର' (ଆଇ୪ସି) ମାଧ୍ୟମରେ ସାଇବର ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବାକୁ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି।

Advertisment

ସେ ଗତ ବର୍ଷ ସାମ୍ନାକୁ ଆସିଥିବା ଏକ ଡିପ୍ ଫେକ “ଏଇ-ଜେନେରେଟ” ଭିଡିଓର ଶିକାର ହେବା ପରେ ତାଙ୍କୁ ଏଭଳି ଦାୟିତ୍ବ ପ୍ରଦାନ କରାଯାଇଛି। ସେହି ସମୟରେ ଅଭିନେତ୍ରୀ ବହୁତ ଚିନ୍ତିତଥିଲେ । ତାଙ୍କୁ ମଧ୍ୟ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା। ତେବେ ପରେ ସେ ଭିଡିଓର ସତ୍ୟତା ପ୍ରକାଶ କରିଥିଲେ। ଅଭିନେତ୍ରୀଙ୍କ ଭିଡିଓ ସଂପୂର୍ଣ୍ଣ ରୂପେ “ଏଇ-ଜେନେରେଟ୍” ଥିଲା।

କିନ୍ତୁ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଅଭିଜ୍ଞତା ଉପରେ ଆଧାର କରି ରଶ୍ମିକା ସାଇବର ଅପରାଧର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଅନଲାଇନ୍ ନିରାପତ୍ତାକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଅନଲାଇନ୍ ଠକେଇ, ଡିପ୍ ଫେକ୍ ଭିଡିଓ, ସାଇବର ବୁଲିଂ ଏବଂ ଏଇ ଦ୍ବାରା ଉତ୍ପନ୍ନ ଖରାପ ବିଷୟବସ୍ତୁ ସମେତ ବିଭିନ୍ନ ସାଇବର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବାକୁ ସେ ଦେଶବ୍ୟାପୀ ଅଭିଯାନର ନେତୃତ୍ୱ ନେବେ। ସମ୍ପ୍ରତି ବିଶ୍ବରେ ସାଇବର ଅପରାଧ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଭାରତରେ ଡିଜିଟାଲ ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଏନେଇ ପ୍ରତିକ୍ରିୟାରେ ରଶ୍ମିକା କହିଛନ୍ତି, ସାଇବର ଅପରାଧ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ବିଶ୍ବର ବ୍ୟକ୍ତିବିଶେଷ ତଥା ବ୍ୟବସାୟ ପାଇଁ ବିପଦ। ସମସ୍ୟାଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସାଇବର ସୁରକ୍ଷା ବିଷୟରେ ବାର୍ତ୍ତା ବିସ୍ତାର କରିବାକୁ ମୁଁ ଉତ୍ସର୍ଗୀକୃତ। ଆମର ଡିଜିଟାଲ ସ୍ପେସ୍‌ର ସୁରକ୍ଷା  ତଥା ବିପଦକୁ ମୁକାବିଲା କରିବା ପାଇଁ ଆମେ ଏକାଠି ହେବା ଆବଶ୍ୟକ।

ରଶ୍ମିକା ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ପେଜ୍‌ରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଏବଂ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ତାଙ୍କର ଡିପ୍ ଫେକ୍ ଭିଡିଓ ବିଷୟରେ ସେ ପ୍ରକାଶ କରିଛନ୍ତି। ଯାହାପରେ ସେ ସାଇବର ସୁରକ୍ଷା ବିଷୟରେ ସଚେତନତା କରିବାକୁ ନିଷ୍ପତ୍ତି ନେଇଥିଲେ।