ନୂଆଦିଲ୍ଲୀ: ଉତ୍ତରକାଶୀର ସିଲ୍କୟାରା ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ପ୍ରକୃତ ନାୟକ ସାଜିଛନ୍ତି ୬ ଜଣ ରାଟ୍‌ ହୋଲ୍‌ ମାଇନର୍ସ। ୮୦୦ ମିଲିମିଟର ପାଇପ୍‌ ଭିତରେ ପଶିବା ପୂର୍ବରୁ ପ୍ରସାଦ ଲୋଦୀ ଦେଖାଇଥିବା ଆତ୍ମବିଶ୍ବାସ ଏହା ଜଣାଇ ଦେଇଥିଲା। ପ୍ରସାଦଙ୍କ ସହିତ ଅନ୍ୟ ୫ ଜଣ ରୢାଟ ମାଇନର୍ସ ସେମାନଙ୍କ ଜୀବନକୁ ବାଜି ଲଗାଇ ୪୧ ଶ୍ରମିକଙ୍କ ଜୀବନ ଉଦ୍ଧାର ପାଇଁ ପାଇପ୍‌ ଭିତରେ ପ୍ରବେଶ କରିଥିଲେ। ପ୍ରସାଦ କୁହନ୍ତି ସେ ୬୦୦ ମିଲିମିଟର ପାଇପ୍‌ ଭିତରେ ମଧ୍ୟ କାମ କରିଛନ୍ତି। ଉତ୍ତରକାଶୀ ସୁଡ଼ଙ୍ଗ ଉଦ୍ଧାରରେ ତାଙ୍କର ସାହସ ଅନେକଙ୍କୁ ଆଶା ଦେଇଛି। ଉଦ୍ଧାର ସ୍ଥଳରେ ତାଙ୍କର ପ୍ରବେଶ କୌଣସି ଚଳଚ୍ଚିତ୍ରର ନାୟକଙ୍କ ଠାରୁ କିଛି କମ୍‌ ନଥିଲା। ଶ୍ରମିକଙ୍କୁ ବାହାର କରିବାରେ ସେମାନେ ହିରୋ ଭଳି ଭୂମିକା ନିର୍ବାହ କରିଛନ୍ତି। ରବିବାର ସେମାନେ ସୁଡ଼ଙ୍ଗ ଭିତରେ ପ୍ରବେଶ କରିଥିଲେ। ଉକ୍ତ ରୢାଟ ହୋଲ୍‌ ମାଇନର୍ସମାନଙ୍କୁ ଘରୋଇ କମ୍ପାନି ଟ୍ରେଞ୍ଚଲେସ୍ ଇଞ୍ଜିନିୟରିଂ ସର୍ଭି‌ସେସ୍‌ ନିୟୋଜିତ କରିଛି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ପାଣି ପାଇପଲାଇନ ବିଛାଇବା ସମୟରେ ସୁଡ଼ଙ୍ଗ ଭିତରେ କାମ କରିବାର ଉଚ୍ଚ ଦକ୍ଷତା ସେମାନଙ୍କ ନିକଟରେ ରହିଛି। ଏହି ୬ ଜଣ ଶ୍ରମିକଙ୍କ ଜରିଆରେ ଭୁଶୁଡ଼ି ପଡ଼ିଥିବା କଂକ୍ରିଟ, ପଥର ଏବଂ ମାଟି ଆଦିକୁ ଖନନ କରି ସଫା କରାଯାଇଥିଲା। ଜଣେ ଡ୍ରିଲିଂ ମେସିନ ସହାୟତାରେ ଖନନ କରୁଥିବାବେଳେ ଅନ୍ୟ ଜଣେ ଶ୍ରମିକ ସେସବୁ ସାମଗ୍ରୀକୁ ଟ୍ରଲି ସାହାଯ୍ୟରେ ବାହାରକୁ ଆଣିଥିଲେ। ଫଳରେ ଶ୍ରମିକମାନେ ଫସି ରହିଥିବା ସ୍ଥାନକୁ ରାସ୍ତା ଫିଟୁଛି। ବାହାରେ ୪ ଜଣ ଶ୍ରମିକ ଛିଡ଼ା ହୋଇ ଟ୍ରଲିରେ ଆସୁଥିବା ୬ରୁ ୭ କେଜି ଲେଖାଏଁ ପଥର, କଂକ୍ରିଟ ଗୁଣ୍ଡକୁ ବାହାରକୁ ଦୌଡ଼ି ସାହାଯ୍ୟରେ ଟାଣି ବାହାର କରିଥିଲେ। ଭିତରେ ପଶି କାମ କରୁଥିବା ୨ ଜଣ ଲୋକ ଯେତେବେଳେ ଥକି ଯାଉଥିଲେ। ସେତେବେଳେ ବାହାରେ କାମ କରୁଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଭିତରେ ପଶୁଥିଲେ।

Advertisment

publive-image Photo Courtesy : ANI 

ବଞ୍ଚାଇଲା ନିଷିଦ୍ଧ ‘ମୂଷା ଗାତଖୋଳା ପଦ୍ଧତି’ ରାଟ୍‌ ହୋଲ୍ ମାଇନିଂ କ’ଣ?
୪ ଫୁଟରୁ କମ୍ ଚଉଡ଼ାର ଅତ୍ୟନ୍ତ ଛୋଟ ଗାତ ଖୋଳି କୋଇଲା ଉତ୍ତୋଳନ କରିବାର ଏକ ପଦ୍ଧତି ହେଉଛି ମୂଷାଗାତ ଖଣି ଖନନ। ଖଣି ଶ୍ରମିକମାନେ କୋଇଲା ପାଖରେ ପହଞ୍ଚିବା ପରେ କୋଇଲା ଉତ୍ତୋଳନ ପାଇଁ ପାର୍ଶ୍ୱରେ ସୁଡ଼ଙ୍ଗ ତିଆରି କରାଯାଏ। ବାହାରକୁ ଅଣାଯାଇଥିବା କୋଇଲାକୁ ନିକଟରେ ଫିଙ୍ଗି ଦିଆଯାଏ ଏବଂ ପରେ ତାକୁ ପରିବହନ କରାଯାଏ। ମୂଷା ହୋଲ ଖନନରେ ଶ୍ରମିକମାନେ ଖଣି ଭିତରକୁ ପଶି ଖନନ ପାଇଁ ହାତରେ ଥିବା ଉପକରଣ ବ୍ୟବହାର କରିଥାନ୍ତି। ମେଘାଳୟରେ ଏହା ଖଣି ଖନନ ଏକ ସାଧାରଣ ପଦ୍ଧତି ଭାବେ ପ୍ରଚଳିତ ହୋଇଆସୁଛି।
କାହିଁକି ନିଷିଦ୍ଧ ହେଲା ରୢାଟ୍‌ ହୋଲ୍ ଖଣି ଖନନ?
ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ୨୦୧୪ ମସିହାରେ ଅବୈଜ୍ଞାନିକ ହୋଇଥିବାରୁ ମୂଷା ହୋଲ୍ ଖନନ ଉପରେ ପ୍ରତିବନ୍ଧକ ଲଗାଇଥିଲେ ମଧ୍ୟ ଏହି ପ୍ରଥା ଜାରି ରହିଛି। ଉତ୍ତର:ପୂର୍ବ ରାଜ୍ୟରେ ଅନେକ ଦୁର୍ଘଟଣାରେ ମୂଷା ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୨୦୧୮ରେ ବେଆଇନ ଖଣି ଖନନରେ ସଂପୃକ୍ତ ୧୫ ଜଣ ବ୍ୟକ୍ତି ବନ୍ୟାଗ୍ରସ୍ତ ଖଣି ଭିତରେ ଫସି ଯାଇଥିଲେ। ଦୁଇ ମାସରୁ ଅଧିକ ସମୟ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟରେ ମାତ୍ର ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇପାରିଥିଲା। ୨୦୨୧ମସିହାରେ ଏଭଳି ଆଉ ଏକ ଦୁର୍ଘଟଣା ଘଟିଥିଲା ଯେତେବେଳେ ଏକ ବନ୍ୟାଗ୍ରସ୍ତ ଖଣିରେ ୫ ଜଣ ଖଣି ଶ୍ରମିକ ଫସି ଯାଇଥିଲେ। ଉଦ୍ଧାରକାରୀ ଦଳ ଏକ ମାସ ପରେ ଅପରେସନ ବନ୍ଦ କରିବା ପୂର୍ବରୁ ୩ ଜଣଙ୍କ ମୃତଦେହ ମିଳିଥିଲା। ପରିବେଶ ପ୍ରଦୂଷଣକୁ ମଧ୍ୟ ବିଚାରକୁ ନେଇ ଏହାକୁ ନିଷିଦ୍ଧ କରାଯାଇଥିଲା।
ଉତ୍ତରାଖଣ୍ଡ ଅପରେସନ
ଆମେରିକାନିର୍ମିତ ଅଗର ମେସିନ୍ ଭଗ୍ନାବଶେଷ କାଟିବାରେ ବିଫଳ ହେବା ପରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏହି ନିଷିଦ୍ଧ ପଦ୍ଧତିର ଉପଯୋଗ ହୋଇଛି। ଏଥିପାଇଁ ଦିଲ୍ଲୀରୁ ୧୨ ଜଣିଆ ବିଶେଷଜ୍ଞଙ୍କ ଦୁଇଟି ଟିମ୍ ପଠାଯାଇଥିଲା। ଏହି ପଦ୍ଧତିରେ ଜଣେ ବ୍ୟକ୍ତି ଡ୍ରିଲିଂ କରନ୍ତି, ଅନ୍ୟ ଜଣେ ଭଗ୍ନାବଶେଷ ସଂଗ୍ରହ କରନ୍ତି ଏବଂ ତୃତୀୟ ଜଣକ ଏହାକୁ ବାହାର କରିବା ପାଇଁ ଟ୍ରଲିରେ ରଖନ୍ତି। ପକ୍ରିୟା ଶେଷ ହେବା ସହ ଫସିଥିବା ଶ୍ରମିକଙ୍କ ନିକଟକୁ ଶେଷ ପାଇପ୍‌ ସଂଯୋଗ ସଫଳ ହୋଇଥିଲା।