ରତନ ଟାଟା ଓ ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ପିଏମ୍‌ କେୟାର ପାଣ୍ଠିର ଟ୍ରଷ୍ଟି ନିଯୁକ୍ତ

ନୂଆଦିଲ୍ଲୀ: ପିଏମ୍ କେୟାର୍ ପାଣ୍ଠିର ଟ୍ରଷ୍ଟି ଭାବେ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିବା ବୁଧବାର ଏକ ସରକାରୀ ବିବୃତିରେ କୁହାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ଅବସରପ୍ରାପ୍ତ ଅଧ୍ୟକ୍ଷ ରତନ ଟାଟା, ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି କେଟି ଟମାସ ଏବଂ ପୂର୍ବତନ ଲୋକସଭା ଉପବାଚସ୍ପତି କାରିୟା ମୁଣ୍ଡା। ଗତକାଲି ଟ୍ରଷ୍ଟିମାନଙ୍କର ବୋର୍ଡ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ନବନିଯୁକ୍ତ ଟ୍ରଷ୍ଟିମାନଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଯୋଗ ଦେଇଥିଲେ। ଶାହ ଓ ସୀତାରମଣ ମଧ୍ୟ ପିଏମ୍‌ କେୟାର୍ ପାଣ୍ଠିର ଅନ୍ୟତମ ଟ୍ରଷ୍ଟି ଅଛନ୍ତି।

ପ୍ରଧାନମନ୍ତ୍ରୀ ବୈଠକରେ ନବନିଯୁକ୍ତ ଟ୍ରଷ୍ଟିମାନଙ୍କୁ ସ୍ବାଗତ କରିଥିଲେ। ପିଏମ୍ କେୟାର ପାଣ୍ଠିରେ ୧୪,୦୦୦ କୋଟି ଟଙ୍କା ଥିଲା। କୋଭିଡ୍-୧୯ ମହାମାରୀ ସମୟରେ ସେଥିରୁ ବିପୁଳ ଅର୍ଥ ଖର୍ଚ୍ଚ ହୋଇଛି ଏବଂ ବର୍ତ୍ତମାନ ପ୍ରାୟ ୮୦୦୦ କୋଟି ଟଙ୍କା ଅଛି ବୋଲି ଟମାସ ସୂଚନା ଦେଇଥିଲେ। କୋଭିଡ୍-ପୀଡ଼ିତଙ୍କୁ ସହାୟତା ପାଇଁ ୨୦୨୦ରେ ଏହି ପାଣ୍ଠି ଗଠନ କରାଯାଇଥିଲା। ପୂର୍ବତନ ସିଏଜି ରାଜୀବ ମହର୍ଷି, ପୂର୍ବତନ ଇନ୍‌ଫୋସିସ୍ ପ୍ରତିଷ୍ଠାତା-ଅଧ୍ୟକ୍ଷା ସୁଧା ମୂର୍ତ୍ତି ଓ ଟିଚ୍ ଫର୍ ଇଣ୍ଡିଆ ସହ-ପ୍ରତିଷ୍ଠାତା ଆନନ୍ଦ ଶାହଙ୍କୁ ଫଣ୍ଡ୍‌ର ଉପଦେଷ୍ଟା ବୋର୍ଡକୁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର