୧୭ ବର୍ଷୀୟ ଏହି ଯୁବକଙ୍କ କମ୍ପାନୀରେ ନିବେଶ କଲେ ରତନ ଟାଟା

ନୂଆଦିଲ୍ଲୀ: ଜଣାଶୁଣା ଶିଳ୍ପପତି ରତନ ଟାଟା ଗୁରୁବାର ଦୁଇ ବର୍ଷ ପୁରୁଣା ଷ୍ଟାର୍ଟଅପ୍ ‘ଜେନେରିକ୍ ଆଧାର’ରେ ନିବେଶ କରିଛନ୍ତି | ଏହି ଷ୍ଟାର୍ଟଅପ୍ କମ୍ପାନୀ ‘ଜେନେରିକ୍ ଆଧାର’ର ପ୍ରତିଷ୍ଠାତା ହେଉଛନ୍ତି ୧୭ ବର୍ଷୀୟ ଅର୍ଜୁନ ଦେଶପାଣ୍ଡେ | ତେବେ ରତନ ଟାଟା ଏଥିରେ କେତେ ଟଙ୍କା ବିନିଯୋଗ କରିଛନ୍ତି ତାହା ଜଣା ପଡିନାହିଁ।’ଜେନେରିକ୍ ଆଧାର’ର ମୁଖ୍ୟ କାର୍ଯ୍ୟ ହେଉଛି ଏହି କମ୍ପାନୀ ମେଡ଼ିସିନ ନିର୍ମାତାମାନଙ୍କଠାରୁ ଔଷଧ ଆଣି ଖୁଚୁରା ବ୍ୟବସାୟୀମାନଙ୍କ ନିକଟରେ ବିକ୍ରି କରନ୍ତି | ସମ୍ପ୍ରତି ଏହି କମ୍ପାନୀର ବାର୍ଷିକ ଆୟ ପ୍ରାୟ ୬ କୋଟି ଟଙ୍କା ଥିବା ବେଳେ ଏବଂ ଆସନ୍ତା ତିନି ବର୍ଷ ମଧ୍ୟରେ ଏହା ୧୫୦-୨୦୦ କୋଟିରେ ପହଞ୍ଚାଇବାକୁ ଅର୍ଜୁନ ଲକ୍ଷ୍ୟ ରଖିଛନ୍ତି ।

photo-generic adhar.com

ଅର୍ଜୁନଙ୍କ ଏହି କମ୍ପାନୀରେ ଫାର୍ମାସିଷ୍ଟ, ଆଇଟି ଇଞ୍ଜିନିୟର୍ ଏବଂ ମାର୍କେଟିଂ ପ୍ରଫେସନାଲଙ୍କ ସମେତ ପ୍ରାୟ ୫୫ ଜଣ ବ୍ୟକ୍ତି ଚାକିରି କରନ୍ତି । ସୂଚନାଯୋଗ୍ୟ ଯେ ଡିସେମ୍ବର ୨୦୧୨ରେ ଅବସର ନେବା ପରଠାରୁ ରତନ ଟାଟା ୧୦ରୁ ଅଧିକ ଷ୍ଟାର୍ଟଅପରେ ପୁଞ୍ଜି ବିନିଯୋଗ କରିଛନ୍ତି। ତାଙ୍କର ସମସ୍ତ ବିନିଯୋଗ ତାଙ୍କ ନିବେଶ କମ୍ପାନୀ ଆରଏନଟି ଆସୋସିଏଟ୍ସ ମାଧ୍ୟମରେ କରାଯାଇଛି |

ଆରଏନଟି ଆସୋସିଏଟ୍ସ ଓଲା, ପେଟିଏମ୍, ସ୍ନାପଡ଼ିଲ , କ୍ୟୁରେଫିଟ୍, ଅର୍ବନ ଲେଡର୍ ଏବଂ ଅବନ୍ତୀ ଫାଇନାନ୍ସରେ ନିବେଶ କରିଛି । ଅର୍ଜୁନ ଦେଶପାଣ୍ଡେ ଏକ ଫ୍ରାଞ୍ଚାଇଜ୍ ଆଧାରିତ ମଡେଲରେ ୧୦୦୦ ଫାର୍ମାସି ସହ ବୁଝାମଣାପତ୍ର ସ୍ଵାକ୍ଷର କରି ଗୁଜୁରାଟ, ତାମିଲନାଡୁ, ଆନ୍ଧ୍ର, ଦିଲ୍ଲୀ, ଗୋଆ ଏବଂ ରାଜସ୍ଥାନରେ ଏହାର ପ୍ରସାର ପାଇଁ ଲକ୍ଷ୍ୟ ରଖିଛନ୍ତି |

ସମ୍ବନ୍ଧିତ ଖବର