ପ୍ରଣବଙ୍କ ପରେ ରତନ ଟାଟା ବି ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବେ

ମୁମ୍ବାଇ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ଗତ ମାସରେ ଅନେକ ଚର୍ଚ୍ଚା ଓ ବିବାଦ ସୃଷ୍ଟି ହୋଇଥିଲା । ଏବେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଆରଏସଏସ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସମ୍ମତି ପ୍ରଦାନ କରିଛନ୍ତି । ଆସନ୍ତା ଅଗଷ୍ଟ ୨୪ରେ ନାଗପୁରଠାରେ ଅନୁଷ୍ଠିତ ହେବାକୁ ଥିବା  ନାନା ପାଲକର ସ୍ମୃତି ସମିତି, ଯାହାକି ଆରଏସଏସର ଏକ ଶାଖା ସଂଗଠନର କାର୍ଯ୍ୟକ୍ରମରେ ଟାଟା ଯୋଗ ଦେବେ । ସଂଘ ପ୍ରଚାରକ ନାନା ପାଲକରଙ୍କ ନାମରେ ଏହି  ଏନଜିଓଟି ଗଠନ କରାଯାଇଛି ।  ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସପିଟାଲ ପରିସରରେ ଏହି ଏନଜିଓର ଅଫିସ ରହିଛି । ଏହି ହସପିଟାଲକୁ ଆସୁଥିବା କର୍କଟ ରୋଗୀମାନଙ୍କୁ ଏହି ସଂସ୍ଥା ପକ୍ଷରୁ ସେବା କରାଯାଏ । ରତନ ଟାଟା ପୂର୍ବରୁ ଏହି ସଂଗଠନର ସେବାମୂଳକ କାର୍ଯ୍ୟ ସଂପର୍କରେ ଅବଗତ ଅଛନ୍ତି ବୋଲି ଆରଏସଏସ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ସରସଂଘ ଚାଳକ ମୋହନ ଭାଗବତ ମଧ୍ୟ ଯୋଗଦେବେ ।  ଗତ ମାସରେ ନାଗପୁରଠାରେ ଅନୁଷ୍ଠିତ ଆରଏସଏସର ଏକ ସମାରୋହରେ ପ୍ରଣବ ମୁଖାର୍ଜୀ ଯୋଗ ଦେଇ ବିଭିନ୍ନତାରେ ଏକତା ଭାରତର ଆତ୍ମା ବୋଲି କହିଥିଲେ ।

ସମ୍ବନ୍ଧିତ ଖବର